ଜାନୁଆରୀ ୧୧ ତଥା ରବିବାରଠୁ ଆରମ୍ଭ ହେବାକୁ ଯାଉଛି ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଦିନିକିଆ ସିରିଜ୍ । ଏହି ତିନି ମ୍ୟାଚ୍ ବିଶିଷ୍ଟ ODI ସିରିଜ୍ ପୂର୍ବରୁ ଟିମ୍ ଇଣ୍ଡିଆକୁ ଲାଗିଛି ବଡ଼ ଝଟକା । ଆଘାତ କାରଣରୁ ଓ୍ବିକେଟ୍ କିପର-ବ୍ୟାଟ୍ସମ୍ୟାନ୍ ଋଷଭ ପନ୍ତ ଦିନିକିଆରୁ ବାଦ୍ ପଡ଼ିଛନ୍ତି । ଶନିବାର ବରୋଦାରେ ଅଭ୍ୟାସ ସମୟରେ ତାଙ୍କ ପିଠିର ଉପର ଭାଗରେ ଆଘାତ ଲାଗିଥିଲା । ଜାତୀୟ ଗଣମାଧ୍ୟମର ସୂଚନା ଅନୁଯାୟୀ, ଋଷଭ ପନ୍ତ ଯନ୍ତ୍ରଣାରେ ଛଟପଟ ହୋଇ ତୁରନ୍ତ ଷ୍ଟାଡିୟମରୁ ବାହାରି ଆସିଥିଲେ ।
ତେବେ ଋଷଭ ପନ୍ତଙ୍କ ବଦଳରେ ଦଳରେ କାହାକୁ ସାମିଲ କରାଯିବ ସେନେଇ ଏପର୍ଯ୍ୟନ୍ତ ବିସିସିଆଇ କିଛି ଘୋଷଣା କରିନାହିଁ । ୨୦୨୬ ଟି-୨୦ ବିଶ୍ୱକପ୍ ପାଇଁ ଭାରତୀୟ ଦଳରେ ବ୍ୟାକଅପ୍ ୱିକେଟକିପର ଭାବରେ ମନୋନୀତ ହୋଇଥିବା ଇଶାନ କିଶାନ ତାଙ୍କ ସ୍ଥାନ ନେଇପାରନ୍ତି ବୋଲି ଅନୁମାନ କରାଯାଉଛି ।
ଶନିବାର ଋଷଭ ପନ୍ତ ଦୀର୍ଘ ସମୟ ଧରି ବ୍ୟାଟିଂ ଅଭ୍ୟାସ କରିଥିଲେ । ଥ୍ରୋ’ଡାଉନ୍ ବିଶେଷଜ୍ଞମାନେ ତାଙ୍କୁ ବ୍ୟାଟିଂ ଅଭ୍ୟାସ ମାଧ୍ୟମରେ ମାର୍ଗଦର୍ଶନ କରୁଥିଲେ । ଯେତେବେଳେ ଫ୍ରଣ୍ଟ ଫୁଟରେ ଡିଫେଣ୍ଡ କରୁଥିବା ସମୟରେ ଏକ ବଲ୍ ତାଙ୍କ ପିଠିର ଉପର ଭାଗରେ ବାଜିଥିଲା । ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଏବଂ ସପୋର୍ଟ ଷ୍ଟାଫ୍ ପନ୍ତଙ୍କ ଅବସ୍ଥା ପଚାରିବା ପାଇଁ ପଡ଼ିଆକୁ ଆସିଥିଲେ । ଡାକ୍ତରୀ ଦଳ ଦ୍ୱାରା ପ୍ରାରମ୍ଭିକ ଚିକିତ୍ସା ପରେ ଋଷଭ ପନ୍ତ ବିସିଏ ଷ୍ଟାଡିୟମ ଛାଡି ଦେଇଥିଲେ । ଏହି ସମୟରେ ଭାରତୀୟ ଦିନିକିଆ ଏବଂ ଟେଷ୍ଟ ଅଧିନାୟକ ଶୁଭମନ ଗିଲ ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକରଙ୍କ ସହ ବହୁତ ସମୟ ଧରି କଥାବାର୍ତ୍ତା କରୁଥିବାର ଦେଖାଯାଇଥିଲା ।

