ସଂଚାର ବ୍ୟୁରୋ: ଭିଜିଲାନ୍ସ ଜାଲରେ ପଡିଛନ୍ତି ଫିରିଙ୍ଗିଆ ବ୍ଲକର ଆଇସିଡିଏସ ସୁପରଭାଜର ଶୈଳବାଳା ସାହୁ। ଜଣେ ଅଙ୍ଗନବାଡି କର୍ମୀଙ୍କଠାରୁ ୫ ହଜାର ଟଙ୍କା ଲାଞ୍ଚ ନେବାବେଳେ ତାଙ୍କୁ ଧରିଛି ଭିଜିଲାନ୍ସ ବିଭାଗ। ସୂଚନା ଅନୁସାରେ, ସଲାଗୁଡା ପଞ୍ଚାୟତର ମୁର୍ଜା ଅଙ୍ଗନବାଡି କେନ୍ଦ୍ରରେ କର୍ମୀ ଭାବେ କାର୍ଯ୍ୟ କରୁଛନ୍ତି ପ୍ରେମଶୀଳା କହଁର।
ପୂର୍ବରୁ ଏହା ଏକ ମିନି ଅଙ୍ଗନବାଡି କେନ୍ଦ୍ର ଥିବାବେଳେ ପରେ ଅଙ୍ଗନବାଡି କେନ୍ଦ୍ରକୁ ଉନ୍ନୀତ ହୋଇଛି। ଏ ବାବଦରେ କର୍ମୀ ପ୍ରେମଶୀଳାଙ୍କ ବର୍ଦ୍ଧିତ ଦରମା ଓ ପିଲାଙ୍କ ୟୁନିଫର୍ମ ଓ ଅନ୍ୟାନ୍ୟ ସାମଗ୍ରୀ ପାଇଁ ପ୍ରାପ୍ୟ ବକେୟା ରହିଥିଲା।
ଏହି ବକେୟା ଅର୍ଥ ମଞ୍ଜୁର ପାଇଁ ସୁପରଭାଜର ଶୈଳବାଳା ପ୍ରେମଶୀଳାଙ୍କୁ ୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଏ ନେଇ ପ୍ରେମଶୀଳା ଭିଜିଲାନ୍ସ ବିଭାଗର ଦ୍ବାରସ୍ଥ ହୋଇଥିଲେ। ଆଜି ନିଜ କାର୍ଯ୍ୟାଳୟରେ ସୁପରଭାଜର ଏହି ଲାଞ୍ଚ ଟଙ୍କା ଗ୍ରହଣ କରୁଥିବାବେଳେ ପୂର୍ବ ପ୍ରସ୍ତୁତି ପ୍ରକାରେ ଫୁଲବାଣୀ ଭିଜିଲାନ୍ସ ଡିଏସପି ହେମନ୍ତ କୁମାର ମହାନ୍ତିଙ୍କ ନେତୃତ୍ୱରେ ଏକ ଟିମ ତାଙ୍କୁ ଧରିଥିଲେ। ଶୈଳବାଳାଙ୍କ ଠାରୁ ନଗଦ ୫ ହଜାର ଟଙ୍କା ଜବତ କରିବା ସହ ତାଙ୍କୁ ଗିରଫ କରି ଥିବା ସୂଚନା ଦେଇଛି ଫୁଲବାଣୀ ଭିଜିଲାନ୍ସ ବିଭାଗ l ସୁପର ଭାଇଜର ଶୈଳ ବାଳା ସାହୁ ଗୋଚ୍ଛା ପଡ଼ା ସେକ୍ଟର ରେ କାର୍ଯ୍ୟରତ ଥିଲେ । ଶେଳବାଳାଙ୍କ ସମ୍ପତ୍ତି ଆକଳନ ପାଇଁ ଦୁଇଟି ସ୍ଥାନରେ ଚଢ଼ାଉ କରାଯାଇଥିବା ଜଣାପଡିଛି।
ଏ ନେଇ ବ୍ରହ୍ମପୁର ଭିଜିଲାନ୍ସ ଥାନାରେ କେଶ ନଂ ୧୨/୨୪ରେ ଏକ ମାମଲା ରୁଜ୍ଜୁ କରାଯାଇ ଅଧିକ ତଦନ୍ତ ଚାଲିଥିବା ଭିଜିଲାନ୍ସ ଡିଏସପି ସୂଚନା ଦେଇଛନ୍ତି। ଅପରପକ୍ଷରେ, ସଲାଗୁଡା ସରପଞ୍ଚ ରୋହିତ କହଁର ଅଭିଯୋଗ କରିଛନ୍ତି, ସମ୍ପୃକ୍ତ ସୁପରଭାଜର ବିଭିନ୍ନ ସମୟରେ ଅଙ୍ଗନବାଡି କର୍ମୀ ନିଯୁକ୍ତି ପାଇଁ ମଧ୍ୟ ଲୋକଙ୍କ ଠାରୁ ଅର୍ଥ ଆଦାୟ କରୁଛନ୍ତି। ଏ ନେଇ ତାଙ୍କ ବିରୋଧରେ ପୂର୍ବରୁ ବହୁ ଅଭିଯୋଗ ରହିଥିବା ସରପଞ୍ଚ କହିଛନ୍ତି।