ଆଜି ପୁଣି ଖୋଲିବ କାଳିଆ ସାଆନ୍ତଙ୍କ ରତ୍ନ ଭଣ୍ଡାର । ମଧ୍ୟାହ୍ନ ଧୂପ ଶେଷ ହେବା ପରେ ଭିତର ଭଣ୍ଡାରକୁ ଯିବେ ସ୍ବତନ୍ତ୍ର ଟିମ୍ । ଦିନ ତମାମ ବାହାର କାଠରୁ ଦର୍ଶନ ସାନିଧ୍ୟ ନେବେ ଶ୍ରଦ୍ଧାଳୁ । ମହାସ୍ନାନ ଭଳି ଅନାବଶ୍ୟକ ପ୍ରତିକୂଳ ପରିସ୍ଥିତି ଏଡ଼ାଇବା ପାଇଁ ଦିନ ତମାମ ଭିତର କାଠ ଦର୍ଶନ ବନ୍ଦ ପାଇଁ ଶ୍ରୀମନ୍ଦିର ପ୍ରଶାସନ ନେଇଛି ନିଷ୍ପତ୍ତି । କେବଳ ରତ୍ନ ଗଣତି ହେଉଥିବା ଦିନ ମାନଙ୍କରେ ବନ୍ଦ ରହିବ ଭିତର କାଠ ଦର୍ଶନ ।
- ୬ଦିନ ଭିତର ଭଣ୍ଡାରର ଗଣତି ମଣତି କାର୍ଯ୍ୟ
ଚଳିତ ମାସରେ ଆହୁରି ୬ଦିନ ହେବ ଭିତର ଭଣ୍ଡାରରେ ଗଣତି ମଣତି କାର୍ଯ୍ୟ । ମେ ୨୧, ମେ ୨୩, ମେ ୨୬, ମେ ୨୮, ମେ ୨୯ ଓ ମେ ୩୦ରେ ହେବ ଭିତର ଭଣ୍ଡାରର ରତ୍ନ ଅଳଙ୍କାର ଗଣତି ମଣତି । ପୂର୍ବରୁ ୧୦ ଦିନର ଗଣତିରେ ମୋଟ ୬୦ ଘଣ୍ଟାର ଗଣତି ପ୍ରକ୍ରିୟା ସରିଛି । ଚଳନ୍ତି ଭଣ୍ଡାରରେ କେବଳ ଶ୍ରୀଜିଉଙ୍କ ଶ୍ରୀଅଙ୍ଗରେ ଥିବା ଦୁଇ ଅଳଙ୍କାରକୁ ଛାଡ଼ି ଅନ୍ୟ ଅଳଙ୍କାର ଗଣତି ଶେଷ ହୋଇଛି । ବାହାର ଭଣ୍ଡାରରେ ୩ଟି ଅଳଙ୍କାର ଚିହ୍ନଟ ହୋଇ ପାରିନଥିବା ବେଳେ ୧୯୭୮ ତାଲିକା ସହ ମେଳକ ଅନୁଯାୟୀ ଅଳଙ୍କାର ସଂଖ୍ୟା ବଢ଼ିଛି। ସେହିପରି ଭିତର ଭଣ୍ଡାରରେ ପାଞ୍ଚ ଦିନ ଗଣତିରେ ପ୍ରାୟ ୧୩୦ ଅଳଙ୍କାର ଅର୍ଥାତ୍ ୨୫ ପ୍ରତିଶତ ଗଣତି କାର୍ଯ୍ୟ ସରିଛି ।
- ପ୍ରତ୍ୟେକ ବାକ୍ସରେ ଲାଗୁଛି ପିତ୍ତଳ ଟ୍ୟାଗ୍
ବାହାର ରତ୍ନ ଭଣ୍ଡାର ଗଣତି ଶେଷ ହେବା ପରେ ଏପ୍ରିଲ ୧୩ ତାରିଖରୁ ଭିତର ରତ୍ନ ଭଣ୍ଡାର ଖୋଲିଥିଲା । ଭିତର ରତ୍ନ ଭଣ୍ଡାର ଗଣତି ମଣତି ସହ ୧୯୭୮ ମସିହା ତାଲିକା ସହ ମେଳକ କରାଯାଇଛି । ସୁନାକୁ ହଳଦିଆ ମୁଣି ଓ ରୂପାକୁ ଧଳାମୁଣିରେ ରଖାଯାଇ ଷ୍ଟିଲ୍ ବାକ୍ସରେ ଭର୍ତ୍ତି କରି ସିନ୍ଦୁକରେ ରଖାଯାଇଛି । ପ୍ରତ୍ୟେକ ବାକ୍ସରେ ପିତ୍ତଳ ଟ୍ୟାଗ୍ ଲଗାଯାଇଛି । ଫଳରେ ଭବିଷ୍ୟତରେ ଯେବେ ବି ଗଣତି ହୁଏ ତେବେ ଚିହ୍ନଟ ଓ ମେଳକ ଅତି ସହଜ ହେବ ।
ମହାପ୍ରଭୁଙ୍କ ରତ୍ନ ଅଳଙ୍କାରରେ ଥିବା ରତ୍ନର ଚିହ୍ନଟ ପାଇଁ ଜେମୋଲୋଜିଷ୍ଟ ବା ରତ୍ନବିଶାରଦ ମାନେ ସହଯୋଗ କରୁଛନ୍ତି । ସେମାନେ ଉନ୍ନତମାନର ଅତ୍ୟାଧୁନିକ ଯନ୍ତ୍ରପାତି ବ୍ୟବହାର କରୁଛନ୍ତି । ଗଣତି ମଣତି ୧୯୭୮ ମସିହା ତାଲିକା ଅନୁଯାୟୀ ଶତ ପ୍ରତିଶତ ସମାନ ହୋଇଥିବା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପୂର୍ବରୁ କହିଛନ୍ତି । ପ୍ରତ୍ୟେକ ଅଳଙ୍କାରରେ ଥିବା କ୍ରମିକ ସଂଖ୍ୟାକୁ ଲକ୍ଷ୍ୟ କରି ଅଳଙ୍କାରଗୁଡ଼ିକ ଚିହ୍ନଟ କରାଯାଉଛି । ଏହାର ଫଟୋଗ୍ରାଫି, ଭିଡିଓଗ୍ରାଫି, 3D ମ୍ୟାପିଙ୍ଗ ଓ E CATALOGUE କରାଯାଉଛି ।

