ଖୋଲିବାରେ ଲାଗିଛି ଅଭିନେତ୍ରୀ ରାନ୍ୟା ରାଓଙ୍କ ସୁନା ସ୍ମଗଲିଂର ଗହନ କଥା। ଗତବର୍ଷ ୩୦ ଥର ଦୁବାଇକୁ ଯାଇଥିଲେ ରାନ୍ୟା। ଶେଷରେ ଧରାପଡିଥିଲା ରାନ୍ୟାଙ୍କ ଗୁମର। ବେଙ୍ଗାଳୁରୁ ବିମାନବନ୍ଦରରୁ ତାଙ୍କୁ ଗିରଫ କରିଥିଲା ଡିଆରଆଇ। ତାଙ୍କ ନିକଟରୁ ଜବତ ହୋଇଥିଲା ପ୍ରାୟ ୧୩ କୋଟି ଟଙ୍କାର ସୁନା। ତେଣେ ବେଙ୍ଗାଳୁରୁସ୍ଥିତ ଘରେ ରେଡ ହେବା ପରେ ମୋଟ ୧୭ କୋଟି ୨୯ ଲକ୍ଷ ଟଙ୍କା ଜବତ ହୋଇଛି ବୋଲି ସୂଚନା ମିଳିଛି। ସେପଟେ ଝିଅର ଏହି କାରନାମା ନେଇ ମୁହଁ ଖୋଲିଛନ୍ତି ବାପା ତଥା ଡିଜିପି ରାଙ୍କର ଅଫିସର ରାମଚନ୍ଦ୍ର ରାଓ। ସେ କହିଛନ୍ତି- ଝିଅ ରାନ୍ୟା ତାଙ୍କ ସ୍ବାମୀଙ୍କ ସହ ଅଲଗା ରହୁଥିଲେ। ସେ ସୁନା ସ୍ମଗଲିଂ ସମ୍ପର୍କରେ କିଛି ଜାଣନ୍ତି ନାହିଁ। ତେବେ ବଡ଼କଥା ହେଉଛି କିଛି ବର୍ଷ ତଳେ ମହୀଶୂରରେ ସୁନା ଡକାଏତି ଘଟଣାରେ ଜଡିତ ଥିବା ନେଇ ରାମଚନ୍ଦ୍ରଙ୍କ ନାଁରେ ଅଭିଯୋଗ ଉଠିଥିଲା। କ୍ୟାରିଅରେ ୩ଟି ଫିଲ୍ମରେ ଅଭିନୟ କରିଥିବା ରାନ୍ୟା ଗତବର୍ଷ ୩୦ ଥର ଦୁବାଇ ଯାଇଥିଲେ। ସେ ସେଠାରୁ ବିପୁଳ ସୁନା ଆଣିଥିବା ସୂଚନା ମିଳିଛି। ସୁନା ସ୍ମଗଲିଂ ଲାଗି ରାନ୍ୟାଙ୍କୁ କିଲୋ ପିଛା ଦିଆଯାଉଥିଲା ୧ ଲକ୍ଷ ଟଙ୍କା। ସେ ପ୍ରତିଥର ପ୍ରାୟ ୧୨/୧୩ କିଲୋ ସୁନା ଆଣୁଥିବାରୁ ଟ୍ରିପ ପିଛା ତାଙ୍କୁ ପ୍ରାୟ ୧୨-୧୩ ଲକ୍ଷ ଟଙ୍କା ମିଳୁଥିଲା। ବିମାନବନ୍ଦର କର୍ମଚାରୀଙ୍କ ଆଖିରେ ଧୂଳି ତେବା ଲାଗି ସେ ବ୍ଯବହାର କରୁଥିଲେ ମଡିଫାଏଡ ଜ୍ୟାକେଟ। ବିମାନ ବନ୍ଦରରୁ ଖସିଯିବା ଲାଗି ତାଙ୍କୁ ଜଣେ ପୋଲିସ କନଷ୍ଟେବଳ ସହାୟତା କରୁଥିଲେ। ବରିଷ୍ଠ ପୋଲିସ ଅଧିକାରୀ, ନେତା ଏହି ରାକେଟ ପଛରେ ଥିବା ସନ୍ଦେହ କରାଯାଉଛି।…