ଆଜି ହେଉଛି ପବିତ୍ର ପୌଷ ପୂର୍ଣ୍ଣିମା। ଏହାର ମହତ୍ତ୍ବ ଖୁବ୍ ଅଧିକ। ଏହି ଦିନ ଭଗବାନ ଶ୍ରୀରାମଙ୍କର ଚଉଦ ବର୍ଷ ବନବାସ ପରେ ଅଯୋଧ୍ୟାରେ ରାଜାଭିଷେକ ଉତ୍ସବ ଅନୁଷ୍ଠିତ ହୋଇଥିଲା। ତେଣୁ ଏହାକୁ ସ୍ମୃତି ଭାବେ ଗ୍ରହଣ କରାଯାଇ ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପୁଷ୍ୟାଭିଷେକ ନୀତି ଅନୁଷ୍ଠିତ ହୋଇଥାଏ। ତା’ସହ ଶ୍ରୀଜିଉମାନେ ରତ୍ନସିଂହାସନରେ ରାଜରାଜେଶ୍ବର ବେଶ ବା ସୁନାବେଶରେ ଦର୍ଶନ ଦିଅନ୍ତି। ଶ୍ରୀମନ୍ଦିରରେ ଏହି ଦୁର୍ଲଭ ଦର୍ଶନ ଦ୍ବାରା କୋଟିପୁଣ୍ୟ ମିଳିଥାଏ।
ଅନ୍ୟପଟେ ଏହିଦିନ ପବିତ୍ର ନଦୀରେ ସ୍ନାନ ଏବଂ ତୀର୍ଥଯାତ୍ରା କରିବାର ପରମ୍ପରା ଅଛି। ମାନ୍ୟତା ଅଛି, ପୌଷ ପୁନେଇଁରେ କରାଯାଉଥିବା ତୀର୍ଥଯାତ୍ରା ଦ୍ବାରା ଅକ୍ଷୟ ପୁଣ୍ୟ ମିଳିଥାଏ ଏବଂ ମନୋକାମନା ପୂରଣ ହୁଏ। ସେହିପରି ପୌଷ ପୂର୍ଣ୍ଣିମାରେ ପ୍ରୟାଗରାଜର ଗଙ୍ଗା, ଯମୁନା ଓ ସରସ୍ବତୀର ତ୍ରିବେଣୀ ସଙ୍ଗମରେ ସ୍ନାନର ଅଧିକ ମହତ୍ତ୍ବ ଅଛି।
ପୌଷ ପୁନେଇଁରେ ହରିଦ୍ବାରରେ ଗଙ୍ଗା ସ୍ନାନ ପାଇଁ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ଼ ହୁଏ। ଅନ୍ୟପଟେ କାଶୀରେ ଗଙ୍ଗାନଦୀ ପ୍ରବାହିତ ହୁଏ। ଏଣୁ ଗଙ୍ଗା ନଦୀ ସ୍ନାନ ଏବଂ କାଶୀ ବିଶ୍ବନାଥ ସମେତ ଦେବୀ ଶକ୍ତିଙ୍କ ଦର୍ଶନ ଏବଂ ପୂଜନ ପାଇଁ ପୌଷ ପୂର୍ଣ୍ଣିମାରେ ଏଠାକୁ ଆସିପାରିବେ। ଉଜ୍ଜୈନରେ ମହାକାଳେଶ୍ବର ଜ୍ୟୋତିର୍ଲିଙ୍ଗ, ହରସିଦ୍ଧି ଶକ୍ତିପୀଠ ସହିତ ଶିପ୍ରା ନଦୀ ଅଛି। ପୌଷ ପୂର୍ଣ୍ଣିମାରେ ଶିପ୍ରା ନଦୀରେ ସ୍ନାନ କରିପାରିବେ। ସେହିପରି ବିହାରର ଗୟା ତୀର୍ଥର ବି ମହତ୍ତ୍ବ ଢ଼େର ବେଶି।