ଭୁବନେଶ୍ବର: ୧୯ ତାରିଖ ଯାଏ ବିଚାରବିଭାଗୀୟ ହାଜତକୁ ଗଲେ ବିଜେଡି ନେତା ସୌମ୍ୟଶଙ୍କର ଚକ୍ର ଓରଫ ରାଜା ଚକ୍ର। ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସି ଆର୍ଥିକ ଅନିୟମିତତା ଘଟଣାରେ ଗିରଫ ହୋଇଥିବା ରାଜା ଚକ୍ରଙ୍କୁ ଆଜି ବାଲେଶ୍ୱର ଓପିଆଇଡି କୋର୍ଟରେ ତାଙ୍କୁ ହାଜର କରିଥିଲା ଇଓଡବଲ୍ୟୁ। ଏହାପରେ ତାଙ୍କୁ ରିମାଣ୍ଡରେ ଆଣିବା ପାଇଁ କୋର୍ଟରେ ଆବେଦନ କରାଯିବ ବୋଲି ଆଶା କରାଯାଉଥିଲା, ହେଲେ ସେମିତି କରିନି ଇଓଡବଲ୍ୟୁ। ୧୯ ତାରିଖରେ ପୁଣି ରାଜା ଚକ୍ରଙ୍କୁ କୋର୍ଟରେ ହାଜର କରାଯିବ।
ଏଜେନ୍ସିର ୩୩ କୋଟି ଟଙ୍କା କେବଳ ରାଜନୈତିକ ଏବଂ ପ୍ରଭାବ ବିସ୍ତାର କରିବାକୁ ଖର୍ଚ୍ଚ କରାଯାଇଛି। ଯେତେବେଳେ କୌଣସି ସମସ୍ୟା ପ୍ରସଙ୍ଗ ଉଠିଥାଏ, ସେତେବେଳେ ସ୍ଥାନୀୟ ଅଞ୍ଚଳର ଗ୍ରାମବାସୀ ରାଜା ଚକ୍ରଙ୍କୁ ସମର୍ଥନ ଦେବାରେ ଏହି ଅର୍ଥ ଖର୍ଚ୍ଚ କରାଯାଇଥାଏ। ସେମିତି ପାଖାପାଖି ୭୪ କୋଟି ଟଙ୍କା ଶ୍ରମିକଙ୍କ ଦେୟ ଓ ଲୋଡିଂ ଖର୍ଚ୍ଚ ବାବଦରେ ପ୍ରଦାନ କରାଯାଇଥିଲେ ମଧ୍ୟ ଏହାର କୌଣସି ଠିକ୍ ହିସାବ ନାହିଁ। ତେଣୁ ପରବର୍ତ୍ତୀ ସମୟରେ ଏହାର ଅଡିଟ୍ କରାଯାଇ ତଥ୍ୟ ସଂଗ୍ରହ କରାଯିବ ବୋଲି ଇଓଡବ୍ଲ୍ୟ ସୂଚନା ଦେଇଛି। ଯଦିଓ ରାଜା ଚକ୍ର ଏଜେନ୍ସି ସହିତ ସଂପୃକ୍ତ ନ ଥିଲେ, ମାତ୍ର ତାଙ୍କ ଇସାରାରେ ହିଁ ଏଜେନ୍ସି ଚାଲୁଥିଲା। ଏଥିରେ ତାଙ୍କୁ ସୁଧାଂଶୁ ଶେଖର ନାୟକ, ସମୀର କୁମାର ଜେନା ଓ ସଦାଶିବ ସାମଲ ସହଯୋଗ କରୁଥିଲେ। ସେହିପରି ରାଜାଙ୍କ ନାମରେ ଥିବା ତିନୋଟି ସଂସ୍ଥା ଶଙ୍କର ମିନେରାଲ୍ସ, ଶଙ୍କର ରୋଡ୍ୱେଜ୍ ଏବଂ ଶଙ୍କର ପ୍ରୋଜେକ୍ଟ ନାମରେ ବ୍ୟବସାୟ କରାଯାଉଥିଲେ ମଧ୍ୟ ଏହି ଅର୍ଥ ଏଥିରେ ଲାଗିଥିବା ଇଓଡବ୍ଲ୍ୟୁ ସନ୍ଦେହ କରୁଛି।