କଟକ : ବଢ଼ିଲା ସୌମ୍ୟଶଙ୍କର ଚକ୍ର ଓରଫ ରାଜା ଚକ୍ରଙ୍କ ଅଡୁଆ । ଆଗୁଆ ଜାମିନ ଆବେଦନକୁ ଖାରଜ କଲେ ହାଇକୋର୍ଟ । ରାଜା ଚକ୍ର ସହ ତାର ସହଯୋଗୀ ସୁଶାନ୍ତ କୁମାର ସାମଲ, ସୁଧାଂଶୁ ଶେଖର ନାୟକ, ସମୀର କୁମାର ଜେନା ଓ ସଦାଶିବ ସାମଲଙ୍କ ଆଗୁଆ ଜାମିନକୁ ଖାରଜ ହୋଇଛି । ଜଷ୍ଟିସ ଭି ନରସିଂହ ଆଗୁଆ ଜାମିନ ଆବେଦନର ଶୁଣାଣି କରି ଜାମିନ ଆବେଦନକୁ ଖାରଜ କରି ଦେଇଛନ୍ତି ।
ଖଣିଜ ପରିବହନ ଅନିୟମିତତା ଓ ଟିକସ ଫାଙ୍କିବା ଅଭିଯୋଗରେ ରାଜ୍ୟ କ୍ରାଇମବ୍ରାଂଚର ଅର୍ଥନୈତିକ ଅପରାଧ ଶାଖା ସୌମ୍ୟ ଶଙ୍କର ଚକ୍ର ଓରଫ ରାଜା ଚକ୍ର ନାମରେ ମାମଲା ରୁଜୁ କରିଛି । ରାଜା ଚକ୍ର ଓ ଅନ୍ୟ ସହଯୋଗୀ ଆଗୁଆ ଜାମିନ ପାଇଁ ହାଇକୋର୍ଟରେ ଆବେଦନ କରିଥିବା ବେଳେ ଗତକାଲି ହାଇକୋର୍ଟ ଆଗୁଆ ଜାମିନ ଆବେଦନର ଶୁଣାଣି ଶେଷ କରି ରାୟ ସଂରକ୍ଷିତ ରଖିଥିଲେ। ଓପିଆଇଡି କୋର୍ଟଙ୍କ ନିର୍ଦ୍ଦେଶରେ କିଛି ଦିନ ତଳେ ଇଓଡବ୍ଲ୍ୟୁରେ ହାଜର ହୋଇଥିଲେ ରାଜା ଚକ୍ର ଓ ତାଙ୍କର ଅନ୍ୟ ସହଯୋଗୀ।
ଇଓଡବ୍ଲୁ ଟିମ୍ କେଉଁଝର ଓ କୋଇଡ଼ାର ବିଭିନ୍ନ ଖଣି ଓ ପରିବହନ ସଂସ୍ଥାକୁ ଯାଇ ପଚରାଉଚରା କରୁଥିଲେ। ଇଓଡବ୍ଲୁ ଏହି ଖୋଳତାଡ଼ ଜାରିରଖିବା ସହିତ ରାଜର ଥିବା ଗାଡି ଗୁଡିକ ଜବତ କରିଛି। ରାଜା ଚକ୍ରଙ୍କ ବେନାମୀ କାରବାରକୁ ନେଇ ଇଓଡବ୍ଲୁ ପକ୍ଷରୁ ଭୁବନେଶ୍ୱରରେ ଫେବ୍ରୁଆରି ୭ରେ କେସ୍ ନମ୍ବର ୩ରେ ଭାରତୀୟ ନ୍ୟାୟ ସଂହିତା ଧାରା ୪୦୬, ୪୦୯, ୪୨୦, ୪୬୭, ୪୭୧ ଓ ୧୨୦ ବି ଅନୁଯାୟୀ ମାମଲା ରୁଜୁ ହୋଇଛି। ରାଜ୍ୟର ୧୦ଟି ସ୍ଥାନରେ ଏ ନେଇ ଇଓଡବ୍ଲୁ ଚଢ଼ାଉ ଜାରି ରଖିଛି ।