ସଂଚାର ବ୍ୟୁରୋ: ବିହାର ପାଟନାର ଭୋଟ ଅଧିକାର ସମାବେଶରେ ନିର୍ବାଚନ କମିଶନଙ୍କ ଉପରେ ବର୍ଷିଛନ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧି। ସେ କହିଛନ୍ତି, ଇସି ଆମକୁ ଭୋଟର ତାଲିକା ଦେଉ ନାହାନ୍ତି। ଭିଡିଓ ଫୁଟେଜ ଦେଉ ନାହାନ୍ତି। ଭୋଟ ଚୋରି ହେଉଛି। ଭୋଟ ଚୋରିର ଅର୍ଥ ହେଲା ଆମ ସମସ୍ତଙ୍କର ଅଧିକାରର ଚୋରି, ସଂରକ୍ଷଣ ବ୍ୟବସ୍ଥାର ଚୋରି, ନିଯୁକ୍ତିର ଚୋରି, ଶିକ୍ଷାର ଚୋରି। ଏଥିରେ ସାମିଲ ଥିବା ବ୍ୟକ୍ତି ସାଧାରଣ ଲୋକଙ୍କର ରାସନ କାର୍ଡ, ଜମି ସବୁ ନେଇଯିବେ ଏବଂ ଶିଳ୍ପପତିଙ୍କୁ ଦେବେ ବୋଲି କହିଛନ୍ତି ରାହୁଲ ଗାନ୍ଧି। ସେପଟେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ମଧ୍ୟ ଏ ପ୍ରସଙ୍ଗରେ କଡ଼ା ସମାଲୋଚନା କରିଛନ୍ତି। କହିଛନ୍ତି, ଭୋଟ୍ ଚୋରି କରି ସରକାର ଗଠନ କରାଯାଇଛି। ବିହାରରେ ବି ସେମିତି କରିବାକୁ ଷଡ଼ଯନ୍ତ୍ର ହୋଇଛି।
ଆମକୁ ସତର୍କ ରହିବାକୁ ପଡ଼ିବ। ନ ହେଲେ ସେମାନେ ବିହାରରେ ବି ଭୋଟ ଚୋରି କରିବେ। ଆମ ସମସ୍ତଙ୍କୁ ବୁଡ଼ାଇ ଦେବେ ବୋଲି ଚେତାଇ ଦେଇଛନ୍ତି ମଲ୍ଲିକାର୍ଜୁନ ଖଡ଼ଗେ। ବିହାରର ଏହି ସରକାର ଆଉ ୬ ମାସ ଭିତରେ ନ ଥିବ। ଯେଉଁ ସରକାର ଆସିବ,ତାହା ହେବ ମହିଳାଙ୍କର ସରକାର, ଦଳିତଙ୍କ ସରକାର। ଏହି ଭୋଟ ଅଧିକାର ଯାତ୍ରାରେ ଆରଜେଡିର ତେଜସ୍ଵୀ ଯାଦବ ମଧ୍ୟ ବର୍ଷିଛନ୍ତି।
ଆଜିର ସମାବେଶ ବେଳେ ବିଜେପି ଓ କଂଗ୍ରେସ କର୍ମୀ ମୁହାଁମୁହିଁ ପରିସ୍ଥିତିକୁ ଆସିଥିଲେ। ରାହୁଲ ଗାନ୍ଧିଙ୍କ ଭୋଟ ଅଧିକାର ରାଲି ଅଗଷ୍ଟ ୧୭ ତାରିଖରୁ ବିହାର ସାସାରାମରୁ ଆରମ୍ଭ ହୋଇଥିଲା। କୁଟୁମ୍ବା, ଔରାଙ୍ଗାବାଦ, ପୁନାମା ନବାଦା, ସିକନ୍ଦର, ଜାମୁଇ, ମୁଙ୍ଗେର, ସୁଲତାନଗଞ୍ଜ, ଭାଗଲପୁର, ପୂର୍ଣ୍ଣିଆ, ଦରଭଙ୍ଗା, ସୀତାମଢ଼ି, ପଶ୍ଚିମ ଚମ୍ପାରନ, ଆରା ଦେଇ ଆଜି ପାଟନାରେ ଶେଷ ହୋଇଛି। ୧୬ ଦିନର ଏହି ଯାତ୍ରା ୨୦ ଜିଲ୍ଲା ଦେଇ ୧୩ଶହ କିଲୋମିଟର ରାସ୍ତା ଅତିକ୍ରମ କରିଥିଲା। ପ୍ରାୟ ୧୧୦ ବିଧାନସଭା ନିର୍ବାଚନ ମଣ୍ଡଳୀ ଦେଇ ଏହି ଯାତ୍ରା ଯାଇଥିଲା।