ସଂଚାର ବ୍ୟୁରୋ: ଦେଶରେ ବିଚାରଧାରାର ଲଢ଼େଇ ଚାଲିଛି। ବିଚାରଧାରାର ସମାହାର ହେଉଛି ସମ୍ବିଧାନ। ଦେଶବାସୀଙ୍କ ସାମ୍ବିଧାନିକ ଅଧିକାର ଛଡ଼ାଇ ଦିଆଯାଉଛି ବୋଲି କହିଛନ୍ତି ବିରୋଧୀ ଦଳ ନେତା ରାହୁଲ ଗାନ୍ଧି। ସମ୍ବିଧାନର ୭୫ତମ ବାର୍ଷିକୀ ଅବସରରେ ଲୋକସଭାରେ ଆଲୋଚନା ବେଳେ ରାହୁଲ କହିଛନ୍ତି- କେନ୍ଦ୍ର ସରକାରଙ୍କ ଆଦାନୀ ପ୍ରୀତି ଚାଲିଛି। ଆଦାନୀ ହାତରେ ଟେକି ଦିଆଯାଉଛି ବିମାନବନ୍ଦର ଠାରୁ ପ୍ରତିରକ୍ଷା କ୍ଷେତ୍ର। ଦେଶରେ ବାରମ୍ବାର ଘଟିଚାଲିଛି ପେପର ଲିକ୍ ଘଟଣା। ଏମଏସପି ଓ ଅନ୍ଯ ଅଧିକାର ଦାବି କରୁଥିବା ଚାଷୀଙ୍କୁ ଦମନ କରାଯାଉଛି। ସେମାନଙ୍କ ଉପରେ କରାଯାଉଛି ଲାଠିମାଡ। ଏହା ସହ ହାଥରସ ପ୍ରସଙ୍ଗରେ ୟୁପି ଓ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି ରାହୁଲ। ସେ କହିଛନ୍ତି- ମନୁସ୍ମୃତି ଅନୁସାରେ ଚାଲିଛି ୟୁପି ଶାସନ। ସମ୍ବିଧାନ ଉପରେ ୨୪ ଘଣ୍ଟା ଆକ୍ରମଣ କରୁଛି ବିଜେପି। ସମ୍ଭଲ ସ୍ଥିତିକୁ ଅଧିକ ସ୍ପର୍ଶକାତର କରୁଛନ୍ତି ସରକାର।ରାହୁଲ କହିଛନ୍ତି- ଅର୍ଥନୈତିକ ସମାନତା ନଥିଲେ ରାଜନୈତିକ ସମାନତା ଆସିବନାହିଁ। ଦେଶରେ ଆର୍ଥିକ ସମାନତା ହଜିଗଲାଣି। ସମ୍ବିଧାନ ସମ୍ପର୍କରେ ବିନାୟକ ଦାମୋଦର ସଭରକରଙ୍କ ମନ୍ତବ୍ଯକୁ ତୀବ୍ର ସମାଲୋଚନା କରିଥିଲେ ରାହୁଲ। ସମ୍ବିଧାନ ବଦଳରେ ମନୁସ୍ମୃତି କାର୍ଯ୍ୟକାରୀ କରିବାକୁ ସଭରକର ଯାହା କହିଥିଲେ ସେନେଇ ବିଜେପିକୁ ଟାର୍ଗେଟ କରିଥିଲେ ରାହୁଲ।