ସଂଚାର ବ୍ୟୁରୋ: ଚେନ୍ନାଇରେ ପ୍ରଥମ ଟେଷ୍ଟ ମ୍ୟାଚ୍ରେ ଭାରତ ୨୮୦ ରନ୍ରେ ବାଂଲାଦେଶଙ୍କୁ ପରାସ୍ତ କରିଥିବା ବେଳେ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ନିଜ ନାଁରେ ଏକ ରେକର୍ଡ ଯୋଡ଼ିଛନ୍ତି। ଟେଷ୍ଟରେ ୩୭ ଥର ପାଇଁ ଗୋଟିଏ ଇନିଂସରେ ୫ଟି ୱିକେଟ ନେଇ ସେ ଅନ୍ୟତମ ପ୍ରସିଦ୍ଧ ସ୍ପିନର ସ୍ୱର୍ଗତ ଶେନ ୱାର୍ଣ୍ଣଙ୍କ ସମକକ୍ଷ ହୋଇଛନ୍ତି।
ଶ୍ରୀଲଙ୍କାର ମୁଥିଆ ମୁରଲୀଧରନ ଟେଷ୍ଟରେ ସର୍ବାଧିକ ୬୭ ଥର ଗୋଟିଏ ଇନିଂସରେ ୫ଟି ୱିକେଟ ନେଇଛନ୍ତି। ତାଙ୍କ ତଳକୁ ଦ୍ୱିତୀୟ ସ୍ଥାନରେ ରହିଥିଲେ ଶେନ ୱାର୍ଣ୍ଣ। ସେ ତାଙ୍କ କ୍ୟାରିୟରରେ ୩୭ ଥର ଗୋଟିଏ ଇନିଂସରେ ୫ଟି ୱିକେଟ ନେଇଥିଲେ। ଏବେ ଅଶ୍ୱିନ ତାଙ୍କ ସହିତ ସେହି ସ୍ଥାନରେ ଯୋଡ଼ି ହୋଇଛନ୍ତି। ବାଂଲାଦେଶ ବିପକ୍ଷ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ରେ ଶେନ ୱାର୍ଣ୍ଣ ରେକର୍ଡକୁ ଭଙ୍ଗ କରିବାର ସୁଯୋଗ ଅଶ୍ୱିନଙ୍କ ପାଖରେ ରହିଛି।
ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟର ପ୍ରଥମ ଇନିଂସରେ ଅଶ୍ୱିନ ୱିକେଟ ନେବାରେ ବିଫଳ ହୋଇଥିଲେ। କିନ୍ତୁ ଦ୍ୱିତୀୟ ଇନିଂସରେ ସେ ୬ଟି ୱିକେଟ୍ ନେଇଥିଲେ। ଆଉ ଏହା ସହିତ ସେ ଶେନ ୱାର୍ଣ୍ଣଙ୍କ ରେକର୍ଡର ସମକକ୍ଷ ହୋଇଥିଲେ। ଭାରତର ପ୍ରଥମ ଇନିଂସରେ ପ୍ରଶଂସନୀୟ ଶତକୀୟ ପାଳି (୧୧୩ ରନ୍ କରିଥିଲେ) ଖେଳିଥିଲେ ଅଶ୍ୱିନ। ଫଳରେ ଭାରତର ସ୍କୋର ପ୍ରଥମ ଇନିଂସରେ ୩୭୬ରେ ପହଞ୍ଚିଥିଲା। ଉଭୟ ବ୍ୟାଟିଂ ଓ ବୋଲିଂରେ ଚମତ୍କାର ପ୍ରଦର୍ଶନ କରିଥିବା ଅଶ୍ୱିନଙ୍କୁ ମ୍ୟାନ ଅଫ୍ ଦ ମ୍ୟାଚ୍ ପୁରସ୍କାର ପ୍ରଦାନ କରାଯାଇଥିଲା।