ସଂଚାର ବ୍ୟୁରୋ: ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଆଜି ମାସିକ କାର୍ଯ୍ୟର ସମୀକ୍ଷା କରିଛନ୍ତି । ଗତ ମାସରେ ଅଧିକାରୀ, କର୍ମଚାରୀମାନଙ୍କୁ ଦିଆଯାଇଥିବା ନିର୍ଦ୍ଦିଷ୍ଟ ଦାୟିତ୍ୱର ଅଗ୍ରଗତିର ସମୀକ୍ଷା କରିବା ସହ ଆଗାମୀ ଦିନ ପାଇଁ କାର୍ଯ୍ୟ ଖସଡ଼ା ପ୍ରସ୍ତୁତ କରିଛନ୍ତି । ଏଥିସହିତ ଆଗାମୀ ରଥଯାତ୍ରା ଏବଂ ଅକ୍ଷୟ ତୃତୀୟା ପାଇଁ ମଧ୍ୟ ପ୍ରସ୍ତୁତି ସମୀକ୍ଷା କରିଛନ୍ତି ମୁଖ୍ୟ ପ୍ରଶାସକ। ରଥ ନିର୍ମାଣ ପାଇଁ ରଥ କାଠ, ରଥ ଦଉଡି଼, ରଥ କନା, ଝୁଣା, ଚନ୍ଦନ, ବାସୁଙ୍ଗା ପାଟ ସହିତ ଆନୁସଙ୍ଗିକ ଜିନିଷର ଉପଲବ୍ଧତା ନେଇ ଆଲୋଚନା ହୋଇଛି । ସେହିପରି ମହାପ୍ରଭୁଙ୍କ ସେନାପଟା ଲାଗି ନୀତି ସକାଶେ ବଉଳ କାଠ ସଂଗ୍ରହ ନିମନ୍ତେ ରାଜ୍ୟର ଭକ୍ତ ମଣ୍ଡଳୀଙ୍କୁ ଅପିଲ କରିଛନ୍ତି ମୁଖ ପ୍ରଶାସକ । ଏଥିସହ ଶ୍ରୀଗୁଣ୍ଡିଚା ମନ୍ଦିର ତଥା ବିଭିନ୍ନ ନିର୍ମାଣାଧୀନ ପ୍ରକଳ୍ପର ଅଗ୍ରଗତି ସମୀକ୍ଷା କରିବା ସହ ନିଜେ ବୁଲି ଦେଖିଛନ୍ତି ମୁଖ୍ୟ ପ୍ରଶାସକ । ତେବେ ଆଜିର ସମୀକ୍ଷା ବୈଠକ ଅବସରରେ ଶ୍ରୀମନ୍ଦିର ପ୍ରଶାସନର ୟୁଟୁବ୍ୟ ଚ୍ୟାନେଲର ମାଇକ ତଥା ଲୋଗୋ ଉନ୍ମୋଚନ ହୋଇଛି । ମୁଖ୍ୟ ପ୍ରଶାସକ, ଅନ୍ୟ ବରିଷ୍ଠ ପ୍ରଶାସକ ମାନଙ୍କ ସହ ଶ୍ରୀମନ୍ଦିର ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ରହିଥିଲେ ।