ସଂଚାର ବ୍ୟୁରୋ: ଦ୍ରୁତ ଗତିରେ ଆଗେଇ ଚାଲିଛି ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ଯ୍ୟ l ଗତକାଲି ଭୋଇ ସର୍ଦ୍ଦାରଙ୍କ ଦ୍ୱାରା ଯନ୍ତା ଗାଡ଼ରେ ସିଙ୍ଗଡ଼ା ବାଡ଼ିଆ କାର୍ଯ୍ୟ ଅନୁକୂଳ ହୋଇଛି l କୋରାମୁଣ୍ଡା ବା କାଠ ହାତୁଡ଼ିରେ ବାଡେଇ ତୁମ୍ବରେ ଅର ସବୁ ଭୁଞ୍ଜାଯାଉଛି । ଏପଟେ ରଥ ଖଳାରେ ରଥ ତ୍ରୟର ଚକ ପ୍ରସ୍ତୁତି ଚାଲିଛି । ସିଙ୍ଗଡ଼ା ପ୍ରସ୍ତୁତ ପରେ ଏହା ସହ ମାପକରି ମୁଖ୍ୟ ବିଶ୍ବକର୍ମା ପହିରେ ବିନ୍ଧ ଅନୁକୂଳ କରିବେ । ତୁମ୍ବରେ ଅଖ ବିନ୍ଧ ଖୋଦେଇ କରୁଛନ୍ତି ବିନ୍ଧ କାରିଗର । ପୂର୍ବରୁ କୋରା ମୁଣ୍ଡା ପ୍ରସ୍ତୁତ ହୋଇ ରହିଥିଲା । ବିଶ୍ବକର୍ମାମାନେ ତୁମ୍ବରେ ବିନ୍ଧ ଖୋଦେଇ କରି ଅରକୁ ସାଇଜ୍ କରି ଦେଇଥିଲେ । ତୁମ୍ବ ବିନ୍ଧରେ ଅରକୁ ଭୁଞ୍ଜାଗଲା ପରେ କାଠ ଗଣ୍ଡି ଉପରେ ଠିଆ ହୋଇ କୋରା ମୁଣ୍ଡା ସାହାଯ୍ୟରେ ଅରର ଅନ୍ୟ ମୁଣ୍ଡକୁ ଶକ୍ତ ପ୍ରହାର ଦିଆଯାଇଥିଲା । ପହି ବିନ୍ଧା କାର୍ଯ୍ୟ ପାଇଁ ଯନ୍ତା ପଟା ତିଆରି ହୋଇଛି । ରଥ ତ୍ରୟର ୧୧ଟି ଲେଖାଏଁ ଗୁଜ ଚଉପଟ ହୋଇଛି । ବିଶ୍ବକର୍ମାମାନେ ଗୁଜ, କୁଡ଼ୁକା, ଜଳଯନ୍ତ୍ର ଓ ତିଖଗୁଜ ନିମନ୍ତେ କାଠ କାଟୁଛନ୍ତି । ଆସନ୍ତା ଭଉଁରୀ ଉତ୍ସବରେ ରଥର ଚକ ସହ ଅଖ ସଂଯୁକ୍ତ ହେବାର ବିଧୂ ସମ୍ପନ୍ନ ହେବାର ଵିଧି ରହିଛି l ସେପଟେ ରୂପକାର ସେବାୟତ କୋଣ ଗୁଜରେ ଆରମ୍ଭ କରିଛନ୍ତି ଖୋଦେଇ କାମ । ସିଂହ ବିରାଳ, ନର ବିରାଳ, ହସ୍ତୀ ବିରାଳ ଖୋଦେଇ କରୁଛନ୍ତି ରୂପକାର ସେବାୟତ ।