କଟକରୁ ନେଇ ପୁରୀରେ ଗଣଦୁଷ୍କର୍ମ । କଟକ କ୍ୟାଣ୍ଟନମେଣ୍ଟ ଥାନା ଅଞ୍ଚଳରେ ଚାଞ୍ଚଲ୍ୟ । ଅଭିଯୋଗ ପରେ ମୁଖ୍ୟ ଅଭିଯୁକ୍ତକୁ ଗିରଫ । ଅନ୍ୟ ତିନି ଜଣ ଅଭିଯୁକ୍ତଙ୍କୁ ଖୋଜୁଛି କ୍ୟାଣ୍ଟନମେଣ୍ଟ ଥାନା ପୋଲିସ । ଛାତ୍ରୀଙ୍କୁ ପୁରୀର ଏକ ହୋଟେଲରେ ନିଶା ଦେଇ ଗଣଦୁଷ୍କର୍ମ କରାଯାଇଥିବା ଜଣା ପଡ଼ିଛି । ଏହି ମାମଲାରେ ଯାଜପୁର ଜିଲ୍ଲା ବିଞ୍ଝାରପୁର ଥାନା କଲ୍ୟାଣୀପୁର ଅଞ୍ଚଳର ସତ୍ୟବ୍ରତ ପରିଡ଼ାକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଯାଜପୁର ଜିଲ୍ଲାର ଜଣେ ନାବାଳିକା କଟକରେ ରହି କଲେଜରେ ପାଠ ପଢୁଛନ୍ତି । ଦିଲ୍ଲୀରେ ଏକ କମ୍ପାନିରେ ଚାକିରି କରୁଥିବା ବିଞ୍ଝାରପୁରର ସତ୍ୟବ୍ରତଙ୍କ ସହିତ ଛାତ୍ରୀଙ୍କ ପୂର୍ବରୁ ପରିଚୟ ଥିଲା ।
ଗତ ଫେବ୍ରୁଆରି ମାସରେ ସତ୍ୟବ୍ରତ ଏକ ବାଇକରେ ଛାତ୍ରୀଙ୍କୁ ବୁଲିଯିବା ବାହାନାରେ କଟକରୁ ଡାକିନେଇ ପୁରୀ ଯାଇଥିଲା । ସାଙ୍ଗରେ ସତ୍ୟବ୍ରତର ବିଞ୍ଝାରପୁର ଅଞ୍ଚଳର ଅନ୍ୟ ତିନି ଜଣ ସାଙ୍ଗ ମଧ୍ୟ ଥିଲେ । ଦୁଇଟି ବାଇକରେ ସମସ୍ତେ ପୁରୀ ଯାଇଥିଲେ । ଏକ ହୋଟେଲରେ ସମସ୍ତେ ରହିଥିଲେ । ସେଠାରେ ନାବାଳିକାଙ୍କୁ ଖାଦ୍ୟ ଓ ପାନୀୟରେ ନିଶା ମିଶାଇ ଦିଆଯାଇଥିଲା । ଖାଇବା ପରେ ନାବାଳିକା ଜଣକ ଅଚେତ ହୋଇପଡ଼ିଥିଲେ । ଏହାର ସୁଯୋଗ ନେଇ ସତ୍ୟବ୍ରତ ଓ ଅନ୍ୟ ତିନି ଜଣ ମିଶି ନାବାଳିକାଙ୍କୁ ହୋଟେଲ ଭିତରେ ବାରମ୍ବାର ଗଣଦୁଷ୍କର୍ମ କରିଥିଲେ । ସନ୍ଧ୍ୟାରେ ପୀଡ଼ିତାଙ୍କ ଚେତା ଫେରିବା ପରେ ସେ ଗଣଦୁଷ୍କର୍ମର ଶିକାର ହୋଇଥିବା ଜାଣିବାକୁ ପାଇଥିଲେ ।

