ସଂଚାର ବ୍ୟୁରୋ: ପୁରୀରେ ପାର୍ଲିଆମେଣ୍ଟାରୀ ଷ୍ଟାଣ୍ଡିଂ କମିଟି ସମୀକ୍ଷା ବୈଠକ ଅନୁଷ୍ଠିତ l କେନ୍ଦ୍ରୀୟ ଯୋଜନା ଗୁଡ଼ିକ ପ୍ରଣୟନ ଓ କାର୍ଯ୍ୟକାରିତା ସମୟରେ ସାଂସଦ ମାନଙ୍କୁ ଅବଗତ କରାଇବା ସହ ନିର୍ଦ୍ଧାରିତ ସମୟ ମଧ୍ୟରେ କାର୍ଯ୍ୟ କରିବା ଉପରେ ଗୁରୁତ୍ୱ ଦେଇଛନ୍ତି ପାର୍ଲିଆମେଣ୍ଟ ଗ୍ରାମ ଉନ୍ନୟନ ଓ ପଞ୍ଚାୟତି ରାଜ ସମ୍ବନ୍ଧୀୟ ସ୍ଥାୟୀ କମିଟିର ଅଧ୍ୟକ୍ଷ ସପ୍ତଗିରୀ ଉଲାକା । ସମସ୍ତ ଯୋଜନାର କାର୍ଯ୍ୟକାରିତା ଓ ସଫଳତାରେ ଲୋକ ପ୍ରତିନିଧି ମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ । କେନ୍ଦ୍ର ସରକାର ପ୍ରଦତ୍ତ ମାର୍ଗଦର୍ଶିକା ଅନୁସାରେ ଲୋକ ପ୍ରତିନିଧି ମାନଙ୍କୁ ସାମିଲ କରିବା, ପରାମର୍ଶ ନେବା ଅତ୍ୟନ୍ତ ଜରୁରୀ । ଯେଉଁଠାରେ ଏହାର ଉଲ୍ଲଂଘନ ହେଉଛି ସେଠାରେ ସମ୍ପୃକ୍ତ ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ଅଧ୍ୟକ୍ଷ ଓ ଅନ୍ୟ ସଦସ୍ୟମାନେ ପରାମର୍ଶ ଦେଇଥିଲେ । ପ୍ରକଳ୍ପ ପ୍ରସ୍ତୁତ ସମୟରେ ଲୋକ ପ୍ରତିନିଧି ମାନଙ୍କୁ ଅବଗତ କରାଇବା, ସେମାନଙ୍କ ପରାମର୍ଶକୁ ପ୍ରକଳ୍ପ ଚୂଡ଼ାନ୍ତ ସମୟରେ ଗୁରୁତ୍ୱ ଦେଇ ସ୍ଥାନିତ କରିବା, ଶୁଭାରମ୍ଭ ଓ ଉଦଘାଟନ ସମୟରେ ଲୋକ ପ୍ରତିନିଧି ମାନଙ୍କୁ ସାମିଲ କରିବା, ନିୟମିତ ଭାବେ ଦିଶା ବୈଠକ ଆୟୋଜନ କରିବା ଉପରେ କମିଟି ଗୁରୁତ୍ୱ ଦେଇଥିଲେ । ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କରେ ସିସି ରୋଡ୍ ପାଇଁ କମିଟି ଅନୁମୋଦନ କରିଥିଲେ । ଗାଁର ଆର୍ଥିକ ଅବସ୍ଥାରେ ଉନ୍ନତି ହିଁ ଦେଶର ବିକାଶ ବୋଲି ଏହି ବୈଠକରେ ମତ ପ୍ରକାଶ ପାଇଥିଲା l