ସଂଚାର ବ୍ୟୁରୋ: ପୁଣି କାଳ ସାଜିଲା ସମୁଦ୍ର ସ୍ନାନ। ଚକ୍ରତୀର୍ଥ ସମୁଦ୍ରରେ ସ୍ନାନ କରୁଥିବା ବେଳେ ନିଖୋଜ ହୋଇଗଲେ ଜଣେ ପର୍ଯ୍ୟଟକ। ନିଖୋଜ ପର୍ଯ୍ୟଟକ ଜଣକ ହେଉଛନ୍ତି ବରଗଡ଼ ଅଞ୍ଚଳର ଶୁଭ ପାତ୍ର।
ଖବର ଅନୁଯାୟୀ ଶୁଭ ତାଙ୍କର ୧୦ ଜଣ ସାଙ୍ଗଙ୍କ ସହ ଆଜି ପୁରୀ ବୁଲିବାକୁ ଆସିଥିଲେ। ଆଜି ମଧ୍ୟାହ୍ନ ସମୟରେ ଶୁଭ ତାଙ୍କ ସାଙ୍ଗମାନଙ୍କ ସହ ସମୁଦ୍ରରେ ସ୍ନାନ କରୁଥିବା ବେଳେ ଏକ ବଡ଼ ଲହଡ଼ି ଆସିବାରୁ ଗଭୀର ସମୁଦ୍ର ଭିତରକୁ ଶୁଭ ଚାଲିଯାଇଥିଲେ। ସେଠାରେ ତାଙ୍କ ସାଙ୍ଗମାନେ ଚିତ୍କାର କରିବା ସହ ଲାଇଫ ଗାର୍ଡ ଓ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଖବରପାଇ ଘଟଣାସ୍ଥଳରେ ସମୁଦ୍ର କୂଳ ଥାନା ପୋଲିସ ମଧ୍ୟ ପହଞ୍ଚି ତଦନ୍ତ ଚଳାଇଛି। ତେବେ ଦୀର୍ଘ ସମୟ ଧରି ଖୋଜାଖୋଜି ପରେ ମଧ୍ୟ ଶୁଭ ଙ୍କର କୌଣସି ପତ୍ତା ମିଳିନାହିଁ। ଏନେଇ ସମୁଦ୍ର କୂଳ ଥାନା ପକ୍ଷରୁ ତାଙ୍କ ପରିବାର ଲୋକଙ୍କୁ ଖବର ଦିଆଯାଇଛି।
ସେପଟେ ଗତ ଦୁଇମାସ ମଧ୍ୟରେ ପୁରୀ ସମୁଦ୍ରରେ ସ୍ନାନ କରୁଥିବା ସମୟରେ ଚାରିଜଣ ପର୍ଯ୍ୟଟକ ଗଭୀର ସମୁଦ୍ରକୁ ଭାସି ଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ତାଙ୍କର କୌଣସି ପତ୍ତା ମିଳିନାହିଁ। ଏଣୁ ସମୁଦ୍ର କୂଳରେ ବ୍ୟାପକ ସଚେତନ ସହ ପର୍ଯ୍ୟପ୍ତ ଲାଇଫ ଗାର୍ଡ ମୁତୟନ ପାଇଁ ଦାବି ହୋଇଛି।