କଂଗ୍ରେସକୁ ଟାର୍ଗେଟ କରିଛନ୍ତି ଆଇନ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ। ସେ ଅଭିଯୋଗ କରିଛନ୍ତି, ରାଜନୈତିକ ଚକ୍ରାନ୍ତ କରି ବିଧାନସଭାକୁ ବନ୍ଦ କରିବାକୁ ଷଡ଼ଯନ୍ତ୍ର କରୁଛି କଂଗ୍ରେସ। ଗୃହ ନ ଚଲେଇବାକୁ ଦିଲ୍ଲୀରୁ ଆସିଛି ନିର୍ଦେଶ। ବିଧାନସଭା ଏକ ପବିତ୍ର ଗୃହ ଯେଉଁଠି ରାଜ୍ୟର ବିକାଶ ପାଇଁ ନୀତି ପ୍ରଣୟନ ହୁଏ, ନିଜର ରାଜନୈତିକ ସ୍ୱାର୍ଥକୁ ଚରିତାର୍ଥ କରିବା ପାଇଁ ଦୀର୍ଘ ଦିନ ହେବ ସେଠି ହାଇ ଡ୍ରାମା କରାଯାଉଛି। ୭ ମାର୍ଚ୍ଚରୁ ଏଭଳି ଅଭାବନୀୟ ପରିସ୍ଥିତି ଦେଖିବାକୁ ମିଳୁଛି । ଯାହା କି ବିଧାନସଭା ପରମ୍ପରାରେ କେବେ ଗ୍ରହଣୀୟ ନୁହେଁ । ଯେତେବେଳେ ଏହା ଅସହ୍ୟ ହେଲା ସେତେବେଳେ କଂଗ୍ରେସ ଦଳର ଜଣେ ବରିଷ୍ଠ ବିଧାୟକଙ୍କୁ ବାଚସ୍ପତି ଅନିଚ୍ଛା ସତ୍ତ୍ଵେ ନିଲମ୍ବନ କଲେ। ଆଶା କରାଯାଉ ଥିଲା, ତା ପରେ କଂଗ୍ରେସ ବିଧାୟକ ମାନେ ନିଜ ଆଚରଣ ଉଚ୍ଚାରଣରେ ପରିବର୍ତ୍ତନ ଆଣିବେ। କିନ୍ତୁ ତାହା ହେଲାନି। କଂଗ୍ରେସ ନିଜର ଅସ୍ତିତ୍ଵ ବଞ୍ଚେଇବା ପାଇଁ ୨୭ ତାରିଖରେ ଆନ୍ଦୋଳନର ଡାକରା ଦେଇଛି। ତାର ଅର୍ଥ ନୁହେଁ ଓଡ଼ିଶାର ସ୍ୱାର୍ଥ କୁ ପ୍ରତିହତ କରିବ, ବିକାଶକୁ ହତ୍ୟା କରିବ । ଏଥିପାଇଁ ଭଗବାନ କେବେ ବି କ୍ଷମା ଦେବେନି । ଆମେ ସ୍ପଷ୍ଟ ଭାବେ କହିଛୁ ଆଲୋଚନାକୁ ଆସନ୍ତୁ। କିନ୍ତୁ ଆଲୋଚନା କୁ ନ ଆସି ବାହାରେ ପ୍ରହସନ କରୁଛନ୍ତି। ବିରୋଧୀ ଉତ୍ତର ଚାହୁଁଛନ୍ତି ଆମେ ଉତ୍ତର ଦେବୁ । ମୁଖ୍ୟମନ୍ତ୍ରୀ ଉତ୍ତର ଦେବାକୁ ପ୍ରସ୍ତୁତ । କିନ୍ତୁ ତା ମାନେ ନୁହେଁ ଯେ ଉତ୍ତର ବାହାରେ ମାଗିବେ, ବିଧାନସଭାରେ ଗଣ୍ଡଗୋଳ କରିବେ, ତାକୁ ଗ୍ରହଣ କରାଯିବ। ଗତକାଲି ରାତିରେ କଂଗ୍ରେସ ଦଳର କିଛି ଆସାମାଜିକ ବ୍ୟକ୍ତି ବିଧାନସଭାର ଷ୍ଟାପମାନଙ୍କୁ ଆକ୍ରମଣ କଲେ । ଗୁଣ୍ଡାରାଜ କଲେ। ମୁଖ୍ୟମନ୍ତ୍ରୀ ଏବଂ ବିଭିନ୍ନ ମନ୍ତ୍ରୀମାନଙ୍କ କବାଟକୁ ଗୋଇଠା ମାରିବାକୁ ଚେଷ୍ଟା କରିଥିଲେ । ୪ ଜଣ ସୁରକ୍ଷା କର୍ମୀ ଆହତ ହୋଇଛନ୍ତି । ବିଧାନସଭା ଲବି ଭିତରକୁ ଯିବା ପାଇଁ ଥିବା କବାଟ ଭାଙ୍ଗିଛି । ତା ପରେ ଯାଇ ବିଧାନସଭାର ଷ୍ଟାପ ତାଙ୍କୁ ବାହାରକୁ ବାହାର କରିଥିଲେ । କଂଗ୍ରେସ ଯାହା କରିଛି ତାହାର ପ୍ରମାଣ ଅଛି । କିନ୍ତୁ ସେମାନେ ଯାହା ଅଭିଯୋଗ କରିଛନ୍ତି ତାହାର ଫଟୋ ଦିଅନ୍ତୁ ଆମେ କହିବୁ ଆମେ ଆମର ଭୁଲ ମାନିନେବୁ । ଯଦି କଂଗ୍ରେସ ବିଧାୟକ ମାନେ କ୍ଷମା ପ୍ରାର୍ଥନା କରିବେ, ନିଲମ୍ଵନ ପ୍ରତ୍ୟାହାର ପାଇଁ ବାଚସ୍ପତି ନିଷ୍ପତ୍ତି ନେଇ ପାରନ୍ତି। ବିଧାନସଭାକୁ ବଳ ପୂର୍ବକ ବନ୍ଦ କରାଯିବାକୁ ବରଦାସ୍ତ କରାଯିବନି । ଗୃହକୁ ଭଲ ଭାବେ ସମସ୍ତେ ଚଳାଇବାକୁ ଦିଅନ୍ତୁ ବୋଲି ଅନୁରୋଧ କଲେ ଆଇନ ମନ୍ତ୍ରୀ ।