ସଂଚାର ବ୍ୟୁରୋ: ଆମେରିକାର ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପଙ୍କ ବିରୋଧରେ ବିରାଟ ବିକ୍ଷୋଭ। ଆମେରିକାର ବିଭିନ୍ନ ସହରରେ ବଡ଼ ପ୍ରତିବାଦ। ଏହି ପ୍ରତିବାଦର ନାଁ ରଖାଯାଇଛି ନୋ କିଙ୍ଗ୍ ପ୍ରୋଟେଷ୍ଟ। ଟ୍ରମ୍ପଙ୍କ ବିଭିନ୍ନ ନୀତି ପ୍ରତିବାଦରେ ସେମାନେ ଏହି ବିକ୍ଷୋଭ କରିଛନ୍ତି। ଏଥିରେ ଯୋଗ ଦେଇଛନ୍ତି ଲକ୍ଷ ଲକ୍ଷ ଲୋକ। ମିଡିଆ ଉପରେ, ବିରୋଧୀ ନେତାଙ୍କ ଉପରେ, ବେଆଇନ ଭାବେ ରହୁଥିବା ପ୍ରବାସୀଙ୍କ ବିରୋଧରେ ଯେପରି ଅମାନବୀୟ ପଦକ୍ଷେପ ନେଇଛନ୍ତି ଟ୍ରମ୍ପ, ତାକୁ ବିରୋଧ କରି ଏହି ପ୍ରତିବାଦ କରାଯାଇଛି। ରାଜା ଯେପରି ନିଜ ମନଇଚ୍ଛା ନୀତି ନିୟମ କରନ୍ତି, ନିଜର ସ୍ଵାର୍ଥ ପାଇଁ ଅନ୍ୟମାନଙ୍କୁ ହଇରାଣ କରନ୍ତି, କଠୋର ଦଣ୍ଡ ଦିଅନ୍ତି, ଟ୍ରମ୍ପ ସେପରି କରୁଥିବାର ଅଭିଯୋଗ କରିଛନ୍ତି ଆମେରିକାବାସୀ।
ପ୍ରତିବାଦରେ ସେମାନେ କରୁଛନ୍ତି ଏହି ନୋ କିଙ୍ଗ୍ ବିକ୍ଷୋଭ। ସଫେଇ ଦେବାକୁ ଯାଇ ରିପବ୍ଲିକାନମାନଙ୍କ ପକ୍ଷରୁ କୁହାଯାଇଛି, ଟ୍ରମ୍ପ ରାଜା ନୁହନ୍ତି। ତେବେ ନିଜେ ଟ୍ରମ୍ପ ନିଜର ଏକ AI ଫଟୋ ଛାଡ଼ିଛନ୍ତି, ଯେଉଁ ଫଟୋରେ ସେ ରାଜାଙ୍କ ପରି ମୁକୁଟ ପିନ୍ଧିଥିବାର ଦେଖିବାକୁ ମିଳିଛି। ସାରା ଆମେରିକାରେ ଏମିତି ୨୫୦୦ ରାଲି କରାଯାଇଛି। ଟ୍ରମ୍ପଙ୍କ ଅଧୀନରେ ଆମେରିକା ସରକାର ସ୍ଵେଚ୍ଛାଚାରୀ ହେଉଥିବାର ଅନୁଭବ କରି ଲୋକେ ସ୍ଵତଃପ୍ରବୃତ୍ତ ଭାବେ ଏହି ରାଲିରେ ଭାଗ ନେଇଛନ୍ତି।
ୱାସିଂଟନ, ବୋଷ୍ଟନ, ଆଟଲାଣ୍ଟା, ସିକାଗୋ, ଲସଆଞ୍ଜେଲସ ପରି ବଡ଼ ବଡ଼ ସହରରେ ଏପରି ବିକ୍ଷୋଭ ଦେଖିବାକୁ ମିଳିଛି। ଫାସୀବାଦ ବିରୋଧରେ ବିକ୍ଷୋଭ ଓ ପ୍ରତିବାଦଠାରୁ ବଳି ଦେଶପ୍ରେମ ଆଉ କିଛି ନାହିଁ ବୋଲି କହିଛନ୍ତି ଆମେରିକାବାସୀ। ଯେଉଁ ଉଦାର, ଗଣତାନ୍ତ୍ରିକ ଆମେରିକାର ପାଇଁ ଆମେ ବହୁ ବଳିଦାନ ଦେଇଛୁ, ବହୁ ଯୁଦ୍ଧ କରିଛୁ, ବହୁ ଯନ୍ତ୍ରଣା ସହିଛୁ, ସେହି ଆମେରିକା ଏବେ ବଦଳି ଯାଇଛି। ତା ବଦଳରେ ଦେଶରେ ସ୍ଵେଚ୍ଛାଚାରୀ ଶାସନ ଚାଲିଛି ବୋଲି ଅଭିଯୋଗ କରିଛନ୍ତି ଏହି ବିକ୍ଷୋଭକାରୀ।

