ସଂଚାର ବ୍ୟୁରୋ: ବାଂଲାଦେଶରେ ଇସ୍କନକୁ ନିଷିଦ୍ଧ ଘୋଷଣା କରିବା ଲାଗି ଜୋର ଧରିଲା ଦାବି I ହେଫାଜାତା-ଇ-ଇସଲାମ ଏବଂ ଇନ୍ତିଫାଦା ବାଂଲାଦେଶ ନାମକ ଦୁଇ ସଂଗଠନ ପକ୍ଷରୁ ଏହି ଦାବି ହୋଇଛି I ବିଶେଷ କରି ରାଜଧାନୀ ଢାକା ଓ ଦେଶର ଦ୍ବିତୀୟ ବୃହତ୍ତମ ସହର ଚଟ୍ଟୋଗ୍ରାମରେ ଏହି ଦାବି ଜୋର ଧରିଛି I ଇସ୍କନକୁ ଏକ ଉଗ୍ର ହିନ୍ଦୁତ୍ବ ସଂଗଠନ ବୋଲି ବର୍ଣ୍ଣନା କରିଛନ୍ତି ଏହି ଦୁଇ ସଂଗଠନ I ଇସ୍କନ ଏକ ଧାର୍ମିକ ମୌଳବାଦୀ ସଂଗଠନ ବୋଲି ହାଇକୋର୍ଟରେ ମହମ୍ମଦ ୟୁନୁସ ନେତୃତ୍ବାଧୀନ ଅନ୍ତରୀଣ ସରକାର ଦର୍ଶାଇବା ପରେ ଏହି ଦୁଇ ସଂଗଠନ ଅଧିକ ଉତ୍ତ୍ୟକ୍ତ ହୋଇଛନ୍ତି I ଗତବର୍ଷ ଅଗଷ୍ଟରେ ଶେଖ ହସିନା ସରକାରର ପତନ ପରେ ଦେଶରେ ହିନ୍ଦୁ ମନ୍ଦିର, ଇସ୍କନ କେନ୍ଦ୍ର ଉପରେ ଆକ୍ରମଣ ଘଟିଚାଲିବା ସହ ପୂର୍ବତନ ଇସ୍କନ ନେତା କ୍ରିଷ୍ଣାଦାସ ପ୍ରଭୁଙ୍କୁ ଗିରଫ କରାଯାଇଥିଲା I
ବାଂଲାଦେଶରେ ସଂଖ୍ୟାଲଘୁ ହିନ୍ଦୁଙ୍କ ସୁରକ୍ଷା ଲାଗି ଦାବି କରିଆସୁଥିଲେ କ୍ରିଷ୍ଣାଦାସ I ସଂଖ୍ୟାଲଘୁଙ୍କୁ ହତ୍ୟା ଓ ଯୌନ ନିର୍ଯାତନା ଅଭିଯୋଗକୁ ୟୁନୁସ ଖଣ୍ଡନ କରିଆସୁଥିଲେ ବି ବର୍ତ୍ତମାନ ଦେଶରେ ଇସଲାମିକ ସଂଗଠନମାନେ ଅଧିକ ସକ୍ରିୟ ହୋଇ ନିଜର କାୟା ବିସ୍ତାର କରୁଛନ୍ତି ଏବଂ ସଂଖ୍ୟାଲଘୁଙ୍କ ଉପରେ ଅଧିକ ଆକ୍ରମଣ କରିବାରେ ଲାଗିଛନ୍ତି I ଢାକାର ବାଇତୁଲ ମୁକାରମା ଜାତୀୟ ମସଜିଦରେ ଗତ ଶୁକ୍ରବାର ପ୍ରାର୍ଥନା ସଭାରେ ଇନ୍ତିଫାଦା ବାଂଲାଦେଶ ସଂଗଠନ ପକ୍ଷରୁ ୬ଟି ଦାବି ରଖାଯାଇଥିଲା I
ସେଥିରୁ ଦୁଇଟି ପ୍ରମୁଖ ଦାବି ଥିଲା- ଇସ୍କନକୁ ନିଷିଦ୍ଧ ଘୋଷଣା କରାଯାଉ ଏବଂ ସଂଗଠନ ବିରୋଧରେ ତଦନ୍ତ କରିବା ସହ ଆଇନଗତ ପଦକ୍ଷେପ ନିଆଯାଉ I ସେପଟେ ଭାରତ ବିରୋଧୀ ଆତଙ୍କୀ ସଂଗଠନ ଅଲକାଏଦା ଅଧୀନସ୍ଥ ଅନସାରୁଲ୍ଲା ବାଂଲା ଟିମ୍ ବି ଏବିଟି ନେତା ଜସିମୁଦ୍ଦିନ ରହମାନି କହିଛନ୍ତି- ଇସ୍କନ ଏକ ହିନ୍ଦୁ ସଂଗଠନ ନୁହେଁ ବରଂ ଏକ ଉଗ୍ରବାଦୀ ସଂଗଠନ I ଗତ ଜାନୁଆରୀରେ ଇସ୍କାନର ୧୭ଟି ବ୍ୟାଙ୍କ ଆକାଉଣ୍ଟକୁ ରଦ୍ଦ କରିଥିଲା ବାଂଲାଦେଶ ଆର୍ଥିକ ଗୁଇନ୍ଦା ୟୁନିଟ ବା BFIU I ୧୯୭୦ ଦଶକରୁ ବାଂଲାଦେଶରେ ଇସ୍କନ ନିଜର ସେବା ଜାରି ରଖିଛି I ଏହାର ଖାଦ୍ୟ ଓ ଜୀବନ କାର୍ଯ୍ୟକ୍ରମ ଜରିଆରେ ଲକ୍ଷ ଲକ୍ଷ ଲୋକ ଉପକୃତ ହେଉଛନ୍ତି I ବିଶେଷ କରି ୧୯୭୧ ଭାରତ-ବାଂଲାଦେଶ ଯୁଦ୍ଧ ସମୟରେ ଏବଂ ଅନେକ ପ୍ରାକୃତିକ ବିପର୍ଯ୍ୟୟ କାଳରେ ଇସ୍କାନ ସହାୟତା ଦେଇଆସୁଛି I

