ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନଭେମ୍ବର ୨୭ ତାରିଖରେ ଓଡ଼ିଶା ଆସୁଛନ୍ତି । ପୂର୍ବାହ୍ନ ୧୧ଟା ୫୦ ମିନିଟରେ ରାଷ୍ଟ୍ରପତି ନୂଆଦିଲ୍ଲୀରୁ ସ୍ୱତନ୍ତ୍ର ବିମାନରେ ବାହାରିବେ । ଦିନ ୨ଟାରେ ଭୁବନେଶ୍ୱର ବିମାନବନ୍ଦରରେ ଅବତରଣ କରି ରାଜଭବନ ଯିବେ । ମଧ୍ୟାହ୍ନ ବିରତି ପରେ ଅପରାହ୍ନ ୪ଟାରେ ରାଜଭବନସ୍ଥିତ ନୂଆ କଳିଙ୍ଗ ଅତିଥି ନିବାସର ଗୃହ ଉଦ୍ଘାଟନ କରିବେ । ଅପରାହ୍ନ ୪ଟା ୨୦ ମିନିଟରେ ଓଡ଼ିଶା ବିଧାନସଭାରେ ପହଞ୍ଚିବେ ରାଷ୍ଟ୍ରପତି । ୫ଟା ୩୦ ପର୍ଯ୍ୟନ୍ତ ବିଧାନସଭାର ସଦସ୍ୟମାନଙ୍କୁ ରାଷ୍ଟ୍ରପତି ସମ୍ବୋଧିତ କରିବେ । ୨୭ ତାରିଖ ରାତିରେ ରାଷ୍ଟ୍ରପତି ରାଜଭବନରେ ରହଣି କରିବେ ।
ରାଜ୍ୟପାଳଙ୍କ ପକ୍ଷରୁ ଆୟୋଜିତ ରାତ୍ରଭୋଜନ କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଯୋଗ ଦେବେ । ସେ ୨୮ ତାରିଖ ସକାଳ ୯ଟା ୩୫ ମିନିଟରେ ଭୁବନେଶ୍ୱର ବିମାନବନ୍ଦରରୁ ଲକ୍ଷେ୍ନø ଅଭିମୁଖେ ଉଡ଼ାଣ ଭରିବାର କାର୍ଯ୍ୟକ୍ରମ ରହିଛି । ସେହିପରି ଆସନ୍ତା ୨୦ ତାରିଖ ସକାଳ ୮ଟା ୨୫ ମିନିଟରେ ଦିଲ୍ଲୀରୁ ସ୍ୱତନ୍ତ୍ର ବିମାନ ଯୋଗେ ରାଷ୍ଟ୍ରପତି ବାହାରିବେ । ସକାଳ ୧୦ଟା ୫ ମିନିଟରେ ଝାରସୁଗୁଡ଼ା ବିମାନବନ୍ଦରରେ ପହଞ୍ଚିବେ । ସେଠାରୁ ବାୟୁସେନାର ସ୍ୱତନ୍ତ୍ର ହେଲିକପ୍ଟରରେ ଛତିଶଗଡ଼ର ଅମ୍ବିକାପୁରସ୍ଥିତ ଗାନ୍ଧି ଷ୍ଟାଡିୟମରେ ଓହ୍ଲାଇ ପିଜି କଲେଜ ପଡ଼ିଆରେ ଛତିଶଗଡ଼ ସରକାରଙ୍କ ଦ୍ୱାରା ‘ଜନ ଜାତୀୟ ଗୌରବ’ ଦିବସ କାର୍ଯ୍ୟକ୍ରମରେ ଯୋଗ ଦେବେ । କାର୍ଯ୍ୟକ୍ରମ ସରିବା ପରେ ପୁଣି ଝାରସୁଗୁଡ଼ା ବିମାନବନ୍ଦର ଦେଇ ସେହିଦିନ ଅପରାହ୍ନ ୧ଟା
୪୫ ମିନିଟରେ ଆନ୍ଧ୍ରପ୍ରଦେଶ ଗସ୍ତ କରିବା କାର୍ଯ୍ୟକ୍ରମ ରହିଛି ।
ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ପ୍ରସ୍ତୁତି ବୈଠକ ବସିଥିଲା । ଅପରାହ୍ନରେ ବିଧାନସଭାର ସ୍ୱତନ୍ତ୍ର ପ୍ରକୋଷ୍ଠରେ ବାଚସ୍ପତି ସୁରମା ପାଢ଼ୀଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ରାଷ୍ଟ୍ରପତିଙ୍କ ସୁରକ୍ଷା, ରାଜଭବନରେ ରହଣି, କାରକେଡ୍ ବ୍ୟବସ୍ଥା, ସ୍ୱାସ୍ଥ୍ୟ ସେବା, ନିରବଚ୍ଛିନ୍ନ ବିଦ୍ୟୁତ ସରବରାହ, ଆବଶ୍ୟକ ପାସ୍ ବ୍ୟବସ୍ଥା ଉପରେ ବୈଠକରେ ଆଲୋଚନା ହୋଇଥିଲା । ମୁଖ୍ୟ ଶାସନ ସଚିବଙ୍କ ବୈଠକରେ ଉନ୍ନୟନ କମିଶନର ଅନୁ ଗର୍ଗ, ଗୃହ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ, ପୁଲିସ ମହାନିର୍ଦ୍ଦେଶକ ୱାଇ.ବି.ଖୁରାନିଆ, ଅଗ୍ନିସେବା ଡିଜି ଡଃ ସୁଧାଂଶୁ ଷଡ଼ଙ୍ଗୀ, ପୁଲିସ କମିଶନର ଏସ୍. ଦେବଦତ୍ତ ସିଂହ ଓ ବିଭିନ୍ନ ବିଭାଗର ସଚିବ ଏବଂ ବରିଷ୍ଠ ଅଧିକାରୀ ଯୋଗ ଦେଇଥିଲେ । ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମ ଯେପରି ତ୍ରୁଟିଶୂନ୍ୟ ରହିବ, ସେ ନେଇ ବାଚସ୍ପତି ଶ୍ରୀମତୀ ପାଢ଼ୀ ବିଭିନ୍ନ ବିଭାଗ ସହ ଆଲୋଚନା କରିଛନ୍ତି ।

