ପ୍ରୟାଗରାଜ : ଉତ୍ତର ପ୍ରଦେଶର ପ୍ରୟାଗରାଜରେ ଚାଲିଥିବା ମହାକୁମ୍ଭ ମେଳାରେ ବଡ଼ ଧରଣର ଅଘଟଣ ଘଟିଛି। ବୁଧବାର ଭୋର ସମୟରେ ମୌନୀ ଅମାବାସ୍ୟା ପାଇଁ କୋଟି କୋଟି ଶ୍ରଦ୍ଧାଳୁ ବୁଡ଼ ପକାଇବାକୁ ସଙ୍ଗମସ୍ଥଳକୁ ଯାଉଥିବାବେଳେ ଦଳାଚକଟା ହୋଇଛି। ଏଥିରେ ଅନେକଙ୍କ ମୃତ୍ୟୁ ଘଟିଥିବା ଆଶଙ୍କା କରାଯାଉଛି। କାରଣ ମୌନି ଅମାବାସ୍ୟାରରେ ପ୍ରାୟ ୧୦ କୋଟି ଲୋକ ଅମୃତ ସ୍ନାନ କରିବେ ବୋଲି ପ୍ରଶାସନ ଆକଳନ କରିଥିଲା। ଆଉ ଏହି ସମୟରେ ହିଁ ଦଳାଚକଟା ହୋଇଛି। ତେବେ ମୃତାହତଙ୍କ ସଂଖ୍ୟା କେତେ ତାହାକୁ ନେଇ ଚାଲିଥିବା ଦ୍ବନ୍ଦ ମଧ୍ୟରେ ମହାକୁମ୍ଭ ନଗର ମେଳା କ୍ଷେତ୍ର ପ୍ରଶାସନ ପକ୍ଷରୁ ଏହି ଦଳାଚକଟାରେ ମୃତକଙ୍କ ସଂଖ୍ୟା ୩୦ ବୋଲି କୁହାଯାଇଛି।
ମହାକୁମ୍ଭ ମେଳାରେ ଦଳାଚକଟା ସମ୍ପର୍କରେ ମହାକୁମ୍ଭ ନଗର ମେଳା କ୍ଷେତ୍ର ପ୍ରଶାସନ ପକ୍ଷରୁ କୁହାଯାଇଛି ଯେ ମଙ୍ଗଳବାର ରାତିରେ ଦଳାଚକଟାରେ ୩୦ ଜଣ ପ୍ରାଣ ହରାଇଛନ୍ତି। ଏହା ସହିତ ୬୦ ଜଣ ଆହତ ହୋଇଛନ୍ତି। ମହାକୁମ୍ଭମେଳା ଅଞ୍ଚଳର ଡିଆଇଜି ବୈଭବ କୃଷ୍ଣ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ବ୍ୟାରିକେଡ୍ ଭାଙ୍ଗିବା ଯୋଗୁଁ ଦଳାଚକଟା ହୋଇଥିଲା। ପ୍ରଶାସନ ଏହାକୁ ମୁଖ୍ୟ କାରଣ ଭାବରେ ଦର୍ଶାଉଛି। ଡିଆଇଜି କହିଛନ୍ତି ଯେ ଗତକାଲି ରାତି ୧ଟାରୁ ୨ଟା ମଧ୍ୟରେ ମହାକୁମ୍ଭରେ ଦଳାଚକଟା ହୋଇଥିଲା। ଯେଉଁଥିରେ ୯୦ ଜଣ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏଥିମଧ୍ୟରୁ ୩୦ ଜଣଙ୍କର ମୃତ୍ୟୁ ହୋଇଥିଲା। ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲୋକଙ୍କ ମଧ୍ୟରେ ୪ ଜଣ ଭକ୍ତ କର୍ଣ୍ଣାଟକର, ଜଣେ ଗୁଜରାଟର ଏବଂ ଜଣେ ଆସାମର ଥିଲେ। ବାକିମାନଙ୍କୁ ଏପର୍ଯ୍ୟନ୍ତ ଚିହ୍ନଟ କରାଯାଇ ନାହିଁ। ୬୦ ଜଣ ଆହତ ହୋଇଛନ୍ତି। କିଛି ଆହତଙ୍କୁ ସେମାନଙ୍କ ପରିବାର ଲୋକ ନେଇଯାଇଛନ୍ତି। ଏହା ବ୍ୟତୀତ ୩୬ ଜଣ ଆହତ ସ୍ଥାନୀୟ ମେଡିକାଲ କଲେଜରେ ଚିକିତ୍ସାଧୀନ ଅଛନ୍ତି।
ସେପଟେ ଭିଆଇପି ବ୍ୟବସ୍ଥା ପାଇଁ ଏପରି ଘଟିଲା ବୋଲି କୁହାଯାଉଛି। ପୁଲିସ୍ ଓ କୁମ୍ଭ ପ୍ରଶାସନ ୨୮ଟି ପୋଣ୍ଟୁନ ବ୍ରିଜ ବା ଭାସମାନ ପୋଲକୁ ଭିଆଇପିମାନଙ୍କ ପାଇଁ ବ୍ଲକ କରିବା ପରେ ମହାକୁମ୍ଭ ମେଳାରେ ଭିଡ଼ ଓ ଦଳାଚକଟାର ଆଶଙ୍କା ସୃଷ୍ଟି ହୋଇଥିଲା। ଭିଆଇପିଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ହେବାରୁ ଲକ୍ଷାଧିକ ଶ୍ରଦ୍ଧାଳୁ ଛୋଟ ଓ ଗଳି ରାସ୍ତାରେ ବୁଡ଼ ପକାଇବାକୁ ଯାଇଥିଲେ। ମଧ୍ୟାହ୍ନ ଯାଏ ଗୋଟିଏ ବୋଣ୍ଟୁନ୍ ବ୍ରିଜ ଖୋଲା ରହିବ ବୋଲି ଘୋଷଣା କରାଯିବାରୁ ଶ୍ରଦ୍ଧାଳୁଙ୍କ ଜନସମୁଦ୍ର ଯଥାଶୀଘ୍ର ସେହି ବାଟରେ ଗଙ୍ଗା ଅତିକ୍ରମ କରିବାକୁ ଉଦ୍ୟମ ଆରମ୍ଭ କରି ଦେଇଥିଲେ ବୋଲି କୁହାଯାଉଛି। ହେଲେ ଡିଆଇଜି ବୈଭବ କୃଷ୍ଣ କହିଛନ୍ତି ଯେ ଜାନୁଆରୀ ୨୯ ତାରିଖରେ କୌଣସି ଭିଆଇପି ଗତିବିଧି ନଥିଲା। ଦଳାଚକଟା ସମୟରେ ଭିଡ଼ ସଙ୍ଗମରେ ଶୋଇଥିବା ଲୋକଙ୍କ ଉପରେ ଚଢ଼ିଯାଇଥିଲା। ଆଜି ୨୯ ଜାନୁଆରୀରେ ସରକାରଙ୍କ ପକ୍ଷରୁ କଡ଼ା ନିର୍ଦ୍ଦେଶ ଦିଆଯାଇଥିଲା ଯେ କୌଣସି ଭିଆଇପି ଗତିବିଧି ହେବ ନାହିଁ।