ସଂଚାର ବ୍ୟୁରୋ: ବିଜେଡିରେ ସରି ସରି ଆସୁଛି କି ପ୍ରଣବଙ୍କ ଯୁଗ ? ପୁଣି ଦଳ ପାଇଁ ଅଲୋଡ଼ା ହେଲେ ବବି । କାହିଁକି ବିଜେଡିର ନୂଆ କମିଟିରେ ସ୍ଥାନ ଦେଲେନି ଦଳର ସୁପ୍ରିମୋ? ନିଜେ ହାରିଲେ, ମା’ ବି ହାରିଲେ ଏଥିପାଇଁ ନବୀନଙ୍କ ନଜରରେ ତଳେ ପଡ଼ି ଯାଇଛନ୍ତି କି ପ୍ରଣବପ୍ରକାଶ ଦାସ । ରାଜ୍ୟରେ ବିଜେଡିର ସଂଗଠନ କେମିତି ଚାଲିଛି ଏହା ଦେଖିବା ପାଇଁ ନୂଆ କମିଟି ଗଠନ ହୋଇଥିବାବେଳେ ବରିଷ୍ଠ ନେତା ଦେବୀ ପ୍ରସାଦ ମିଶ୍ର ଏହାର ଅଧ୍ୟକ୍ଷ ରହିଛନ୍ତି । ଏହି କମିଟିରେ ୧୫ ଜଣ ସଦସ୍ୟ ରହିଛନ୍ତି ।
ତେବେ ବିଜେଡି ନିର୍ବାଚନ ହାରିବା ପରେ ନୂଆ କମିଟି ଗଠନ କରୁଥିବାବେଳେ ସୋମବାର ଆଉ ଏକ କମିଟି ଗଠନ କରିଛି । ତେବେ ଏହି କମିଟିରେ ବବିଙ୍କୁ ସ୍ଥାନ ନମିଳିବା ପରେ ରାଜେନୖତିକ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଛି । କୁହାଯାଉଛି କି, କ୍ବାଟର କେଳେଙ୍କାରୀ ସାଙ୍ଗକୁ କୁସୁମା ବିବାଦ ପରେ ବବିଙ୍କ କ୍ରେଜ୍ ରାଜ୍ୟରେ କମିବାରେ ଲାଗିଛି ।
ଲୋକଙ୍କ ନଜରରେ ତଳେ ପଡ଼ିଯାଇଥିବା ବବିଙ୍କୁ ନଜର ଅନ୍ଦାଜ କରିବା ପାଇଁ ଦଳରେ କୌଣସି କମିଟିରେ ରଖାଯାଉନାହିଁ । ସେମିତିରେ ବିଜେପି ଶରଣରେ ବବି ରହିଥିବା ଚର୍ଚ୍ଚା ହେଉଥିବାବେଳେ ଧିରେ ଧିରେ ତାଙ୍କୁ ବିଜେଡିରୁ ଆଉଟ୍ କରାଯାଇପାରେ ବୋଲି କୁହାଯାଉଛି । ତେବେ ନୂଆ କରି ଗଠନ ହୋଇଥିବା କମିଟିରେ ବବିଙ୍କ ଗୋଷ୍ଠୀର କୌଣସି ନେତା ମଧ୍ୟ ସ୍ଥାନ ପାଇନାହାନ୍ତି । ଏଣୁ ଏତିରୁ ସ୍ପଷ୍ଠଭାବେ ଜଣାପଡ଼ୁଛି କି, ଦଳରେ ଏବେ ତାଙ୍କ ସ୍ଥିତି କଣ । ଦଳର ସୁପ୍ରିମୋ ଯେଉଁ କାରଣରୁ ପୂର୍ବରୁ ସମସ୍ତ ରାଜ୍ୟସ୍ତରୀୟ କମିଟି ଭାଙ୍ଗିଛନ୍ତି ଆଉ ଗୋଟିଏ ପରେ ଗୋଟିଏ ନୂଆ କମିଟି ଗଠନ କରୁଛନ୍ତି । କିନ୍ତୁ ଗୋଟିଏ ବି କମିଟିରେ ବବିଙ୍କ ସ୍ଥାନ ନାହିଁ ।
କହି ରଖୁଛୁ କି, ରାଜ୍ଯରେ କେମିତି ଚାଲିଛି ବିଜେଡି ସଂଗଠନ । ତଦାରଖ ଓ ସମନ୍ବୟ ପାଇଁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଗଠନ କଲେ ନୂଆ କମିଟି । ବିଜେଡିର ବରିଷ୍ଠ ନେତା ଦେବୀପ୍ରସାଦ ମିଶ୍ରଙ୍କ ଅଧ୍ଯକ୍ଷତାରେ ଏକ ୧୫ ଜଣିଆ ଟିମ ଗଠନ କରିଛନ୍ତି ନବୀନ । ଏନେଇ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି । ଟିମ ସଦସ୍ଯ ସାରା ରାଜ୍ଯରେ ବିଜେଡିର କାର୍ଯ୍ୟକ୍ରମ ଯୋଜନାବଦ୍ଧ, ମିଳିତଭାବେ ହେଉଛି କି ନାହିଁ ତାହା ପରଖିବ । ଦେବୀଙ୍କ ଟିମରେ ଅଛନ୍ତି ବିରୋଧୀ ଦଳ ମୁଖ୍ଯ ସଚେତକ ପ୍ରମିଳା ମଲ୍ଲିକ, ନିରଂଜନ ପୂଜାରୀ, ବିକ୍ରମ କେଶୀର ଆରୁଖ, ପ୍ରତାପ କେଶରୀ ଦେବ, ପ୍ରଦୀପ କୁମାର ଅମାତ, ଅରୁଣ ସାହୁ, ଅଶ୍ବିନୀ କୁମାର ପାତ୍ର, ପ୍ରତାପ ଜେନା, ସାରଦା ପ୍ରସାଦ ନାୟକ, ସୁଦାମ ମାର୍ଣ୍ଡି, ମନୋହର ରନ୍ଧାରୀ, ସ୍ନେହାଙ୍ଗିନୀ ଛୁରିଆ, ମହେଶ ସାହୁ ଓ ଦେବେଶ ଆଚାର୍ଯ୍ୟ ।