ବିଜେଡିକୁ ଲାଗିଲା ପୁଣି ଏକ ଶକ୍ତ ଝଟ୍କା । ବିଜେପିରେ ସାମିଲ ହେଲେ ବରିଷ୍ଠ ବିଜେଡି ନେତା ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ ଓ ଭଉଣୀ । ପ୍ରୟାସକାନ୍ତି ସାମଲ ଓ ପ୍ରଣିତକାନ୍ତି ସାମଲ ଆଜି ବିଜେପିରେ ବିଦ୍ଧିବଦ୍ଧ ଭାବେ ସାମିଲ ହୋଇଛନ୍ତି । ଏହାସହ ପ୍ରଫୁଲ୍ଲଙ୍କ ଭଉଣୀ ଉର୍ମିଳା ନାୟକ ମଧ୍ୟ ବିଜେପିରେ ମିଶିଲେ । ଖାଲି ସେତିକି ନୁହେଁ ସେମାନଙ୍କ ସହ ୩୦ ଓ ୩୫ ସମିତି ସଭ୍ୟ ମଧ୍ୟ ବିଜେପିରେ ମିଶିଛନ୍ତି । ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଏକ ମିଶ୍ରଣ ପର୍ବରେ ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ସମସ୍ତେ ବିଜେପିର ଉତ୍ତରୀୟ ଓ ଟୋପି ପିନ୍ଧି ଦଳରେ ସାମିଲ ହୋଇଛନ୍ତି ।
ନବୀନଙ୍କ ନିଷ୍ପତ୍ତି ପରେ ବଦଳିଥିଲା ଭଦ୍ରକ ରାଜନୀତିର ଚିତ୍ର । ବାପା ଗୋଟିଏ ପଟେ ପୁଅ ଅନ୍ୟପଟେ ହୋଇଥିଲେ । ପ୍ରଫୁଲଙ୍କ ଦୁଇ ପୁଅ ବିଜେପିକୁ ଯିବା ପରେ ଏବେ ବିଜେଡିର ଭାର କେବଳ ବାପା ପ୍ରଫୁଲ ସାମଲଙ୍କୁ ହିଁ ମୁଣ୍ଡାଇବାକୁ ପଡ଼ିବ ।
କିଛି ଦିନ ପୂର୍ବରୁ ପ୍ରଫୁଲ୍ଲ ସାମଲ ବନାମ ପ୍ରୟାସକାନ୍ତି ସାମଲ ଭଦ୍ରକ ରାଜନୀତିକୁ ଚଳଚଞ୍ଚଳ କରିଥିଲା । ବାପା-ପୁଅଙ୍କ ଲଢ଼େଇ ଆରମ୍ଭ ହୋଇଥିଲା । ୪ ବ୍ଲକ ଅଧ୍ୟକ୍ଷ ବିଜେଡିରୁ ଇସ୍ତଫା ଦେବା ପରେ ଅପରେସନ ଲୋଟସରେ ବ୍ରେକ୍ ଲଗାଇବାକୁ ପ୍ରଫୁଲ ସାମଲଙ୍କୁ ଦାୟିତ୍ବ ଦେଇଥିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । କିନ୍ତୁ ୨୦୨୪ ନିର୍ବାଚନର ଗ୍ଲାନିରେ ଜଳୁଥିବା ପୁଅ ପ୍ରୟାସକାନ୍ତି ବିଜେଡିର ଗଡ଼କୁ ଧ୍ବସ୍ତବିଧ୍ବସ୍ତ କରିବାକୁ ଯେଉଁ ଗୋଟି ଚଳାଇଥିଲେ ସେଥିରେ ପରାହତ ହୋଇଥିଲେ ବାପା ପ୍ରଫୁଲ୍ଲ ସାମଲ । ପ୍ରୟାସକାନ୍ତିଙ୍କ ପଦ୍ମ ମିଶନ ଆଗରେ କାମ କଲାନି ପ୍ରଫୁଲଙ୍କ ଡିଫେନ୍ସ ଷ୍ଟ୍ରାଟେଜି ।
ସୂଚନାଯୋଗ୍ୟ, ୨୦୨୪ ନିର୍ବାଚନରେ ଭଣ୍ଡାରିପୋଖରୀ ଆସନରୁ ବାପାଙ୍କ ପରିବର୍ତ୍ତେ ନିଜେ ନିର୍ବାଚନ ଲଢିବାକୁ କ୍ଷେତ୍ର ପ୍ରସ୍ତୁତି କରିସାରିଥିଲେ ପ୍ରୟାସକାନ୍ତି । କିନ୍ତୁ ଦଳୀୟ ନିଷ୍ପତ୍ତି ତାଙ୍କ ସପକ୍ଷରେ ଆଦୌ ଯାଇନଥିଲା । ଆସନ ବଦଳାଇ ଭଦ୍ରକରୁ ବାପାଙ୍କୁ ଟିକେଟ୍ ଦିଆଯାଇଥିବା ବେଳେ ଭଣ୍ଡାରିପୋଖରୀରୁ ଲଢ଼ିଥିଲେ ସଂଜୀବ ମଲ୍ଲିକ । ଯାହାକୁ ନେଇ ପ୍ରୟାସକାନ୍ତି କେବଳ କ୍ଷୁବ୍ଧ ହୋଇ ନଥିଲେ ବରଂ ସେବେଠାରୁ ଦଳୀୟ କ୍ଷମତାର ଅପବ୍ୟବହାର ଆରମ୍ଭ କରିଥିବା ଅଭିଯୋଗ ହୋଇଆସୁଥିଲା ।
ସଂଜୀବ ମଲ୍ଲିକଙ୍କ ବିଜୟ ଆଉ ବାପା ପ୍ରଫୁଲ୍ଲଙ୍କ ପରାଜୟ ପରେ ବିଜେଡିରେ ପ୍ରୟାସକାନ୍ତିଙ୍କ ପାଇଁ ସବୁ ବାଟ ବନ୍ଦ କରି ଦେଇଥିଲା । ତାଛଡ଼ା ବିଜେଡି କ୍ଷମତାରୁ ଯିବା ପରେ ପ୍ରୟାସକାନ୍ତି ବିଜେପି ମୁହାଁ ହୋଇଥିବା ବେଳେ ବ୍ଲକ ସ୍ତରରେ ବିଜେଡିର ପତିଆରାକୁ ଧ୍ବସ୍ତ ବିଧ୍ବସ୍ତ କରିବା ପାଇଁ ଗୋଟି ଚଳାଇଥିବା କୁହାଯାଉଛି ।

