ବିଜେଡି କନ୍ଦଳ ନେଇ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତଙ୍କ ବିସ୍ଫୋରକ ବୟାନ୍ । କହିଲେ, ବିଜେଡିର ୯୦ ଭାଗ ବରିଷ୍ଠ ନେତା ମିଶି ନୂଆ ଦଳ ଗଠନ କରିବେ । ବରିଷ୍ଠଙ୍କର ୨ରୁ ୩ଟି ବୈଠକ ସରିଛି । ବିଜେଡି ଦଳର ବରିଷ୍ଠ ନେତା ମାନେ ନୂଆ ଦଳ ଗଠନ ପାଇଁ ପ୍ରକ୍ରିୟା ଆରମ୍ଭ କରିଦେଇଛନ୍ତି । ବିଜେଡି କନ୍ଦଳ ଏତେ ବଢ଼ିବ ଯେ ଦଳ ୬ରୁ ୭ ଖଣ୍ଡ ହେଇଯିବ । ପାଣ୍ଡିଆନ ବିନା ନବୀନ ଅସହାୟ, ସେ କେବଳ ଦସ୍ତଖତ କରନ୍ତି । ପାଣ୍ଡିଆନଙ୍କୁ ଯେତେ ବିରୋଧ କରାଗଲେ ମଧ୍ୟ ତାଙ୍କୁ ନିଜ ପାଖରେ ରଖିବେ ନବୀନ ।
ଓ୍ୱାକଫ୍ ବିଲ୍ ସଂଶୋଧନ ବିଲ୍କୁ ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର ସମର୍ଥନ କରିବା ପରେ ବିଜେଡିରେ ଯେଉଁ ନିଆଁ ଲାଗିଛି ତାହା ସମ୍ପୂର୍ଣ୍ଣ ଦଳକୁ ଜାଳି ପୋଡ଼ି ଛାରଖାର କରିଦେବ ବୋଲି ଚର୍ଚ୍ଚା ଆରମ୍ଭ ହେଲାଣି । କାରଣ ସେଦିନଠୁ ବିବାଦ ଥମିବାର ନାଁ ଧରୁନି । ଏହି ଘଟଣା ପରେ ବିଜେଡିରେ ଯାହା ଯାହା ଘଟୁଛି ତାହା ଗତ ୨୪ ବର୍ଷ ମଧ୍ୟରେ ଦେଖାଯାଇନଥିଲା ।
ପ୍ରଥମେ ମୁନା ଖାଁ ନିଜ ସମର୍ଥକଙ୍କ ସହ ନବୀନ ନିବାସରେ ପହଞ୍ଚି ହୋ-ହଲ୍ଲା କରିଥିଲେ । ତାପରେ ନବୀନଙ୍କୁ ଧମକ ବି ଦେଇଥିଲେ । ଆଉ ସିଧା ସିଧା କହିଥିଲେ ସସ୍ମିତଙ୍କୁ ସସ୍ପେଣ୍ଡ କର । ଦଳରେ ଏମିତି ସାହସ ଆଗରୁ କେବେ କେହି କରିନଥିଲେ । କିମ୍ବା ନବୀନ କ’ଣ କରିବେ କ’ଣ ନାଇଁ, ତାଙ୍କୁ ଏଭଳି ପୂର୍ବରୁ କେବେ କେହି ଖୋଲାଖୋଲି ଭାବେ କହିନଥିଲେ । ତାପରେ ପାଣ୍ଡିଆନ ମୁର୍ଦାବାଦ ବୋଲି ମଧ୍ୟ କର୍ମୀମାନେ ନାରା ଦେଇଥିଲେ ।
ସେହିଭଳି ଏହି ଘଟଣା ପରେ ଦେବାଶିଷ ସାମନ୍ତରାୟ ମଧ୍ୟ ପାଣ୍ଡିଆନଙ୍କୁ ଟାର୍ଗେଟ କରିଥିଲେ । ସେ ପାଣ୍ଡିଆନଙ୍କୁ ଦଳର ବିଭୀଷଣ ବୋଲି ଆକ୍ଷେପ କରିଥିଲେ । ପୂର୍ବରୁ ବରିଷ୍ଠ ନେତା ବଦ୍ରି ପାତ୍ରଙ୍କ ଭଳି ନେତା ମଧ୍ୟ ପାଣ୍ଡିଆନଙ୍କୁ ଟାର୍ଗେଟ କରିଥିଲେ ।
ତେବେ ପାଣ୍ଡିଆନଙ୍କୁ ବିଭୀଷଣ ବୋଲି ଦେବାଶିଷ କହିବା ପରେ, ଆକ୍ଟିଭ ମୋଡ୍କୁ ଆସିଥିଲେ ପାଣ୍ଡିଆନ ପନ୍ଥି ନେତା । ସୁବାଷ ସିଂହ, ପ୍ରତାପ ଦେବ, ନିରଞ୍ଜନ ବିଶି, ସୁଲାତା ଦେଓଙ୍କ ଭଳି ନେତା ସାମ୍ନାକୁ ଆସି ଦେବାଶିଷଙ୍କୁ ପ୍ରବଳ ଧୋଇଥିଲେ । ସେମାନେ ସିଧାସିଧା କହିଥିଲେ ପାଣ୍ଡିଆନଙ୍କୁ ଅଜଥାରେ ଟାଣିବା ଉଚିତ୍ ନୁହେଁ । ଏମିତିକି ସାଂସଦ ଦେବାଶିଷଙ୍କୁ ଟାର୍ଗେଟ କରି ‘x’ରେ ପୋଷ୍ଟ ମଧ୍ୟ କରିଥିଲେ ।