ସଂଚାର ବ୍ୟୁରୋ: ଆଜି ମହାମହିମ ରାଜ୍ୟପାଳ ଡ଼ଃ ହରିବାବୁ କମ୍ଭମପାଟି ଏବଂ ମାନନୀୟା ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ାଙ୍କ ଉପସ୍ଥିତିରେ ନିମାପଡ଼ାସ୍ଥିତ ନୂଆ ବାରବାଟୀ ପଡ଼ିଆ ଇଣ୍ଡୋର ଷ୍ଟାଡିୟମରେ ପ୍ରଥମ କରି ଆୟୋଜିତ ‘ଉତ୍କର୍ଷ ନିମାପଡ଼ା’ ସମ୍ମିଳନୀର ଉଦଘାଟନ ହୋଇଯାଇଛି । ‘ଉତ୍କର୍ଷ ନିମାପଡ଼ା’ ସମ୍ମିଳନୀର ଶୁଭାରମ୍ଭ ଅବସରରେ ପ୍ରଥମେ ପି ଏମ ଶ୍ରୀ ନିମାପଡ଼ା ଉଚ୍ଚ ବିଦ୍ୟାଳୟ ପରିସରରେ ଭାରତୀୟ ସେନାର ସମ୍ମାନାର୍ଥେ “ଏକ ପେଡ୍ ସେନା କେ ନାମ୍ ” ପରିପ୍ରେକ୍ଷୀରେ ମହାମହିମ ରାଜ୍ୟପାଳ ଡ଼ଃ ହରିବାବୁ କମ୍ଭମପାଟି ଏବଂ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ାଙ୍କ ଦ୍ୱାରା ଏକ ଚାରା ରୋପଣ କରାଯାଇଥିଲା। ପରେ ନୂଆ ବାରବାଟୀ ପଡ଼ିଆରେ ଆୟୋଜିତ ସୁଭଦ୍ରା ଶକ୍ତିମେଳାର ଉଦ୍ଘାଟନ କରିବା ସହ ଏବଂ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କ ଦ୍ୱାରା ପ୍ରସ୍ତୁତ ହାତ ତିଆରି ସାମଗ୍ରୀ ଏବଂ ଅନ୍ୟାନ୍ୟ ଦ୍ରବ୍ୟର ଷ୍ଟଲ ଗୁଡିକ ବୁଲି ଦେଖିଥିଲେ ମହାମହିମ ରାଜ୍ୟପାଳ ଏବଂ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା।
‘ଉତ୍କର୍ଷ ନିମାପଡ଼ା’ ସମ୍ମିଳନୀର ଉଦ୍ଘାଟନୀ ସମାରୋହରେ ଉଦବୋଧନ ଦେଇ ଉପମୁଖ୍ୟମନ୍ତ୍ରୀ କହିଥିଲେ ଯେ ୨୦୪୭ ସୁଦ୍ଧା ଯଶ୍ୱସୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜୀଙ୍କ ବିକଶିତ ଭାରତ ଏବଂ ୨୦୩୬ ସୁଦ୍ଧା ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ବିକଶିତ ଓଡ଼ିଶା ସ୍ବପ୍ନକୁ ସଫଳ କରିବା ଦିଗରେ ‘ଉତ୍କର୍ଷ ନିମାପଡ଼ା’ ଆଧାର ହେବ । ନିମାପଡ଼ାର ସାମଗ୍ରିକ ଓ ଦୀର୍ଘସ୍ଥାୟୀ ଆର୍ଥିକ ଅଭିବୃଦ୍ଧିକୁ ତ୍ୱରାନ୍ବିତ କରିବା ସହ ଏହି ଅଞ୍ଚଳରେ ଶିକ୍ଷା ଓ ସ୍ୱାସ୍ଥ୍ୟର ମାନବଢାଇବା ସହ ଶିଳ୍ପ ଅଭିବୃଦ୍ଧି ତଥା ନୂତନ ନିଯୁକ୍ତି ସୃଷ୍ଟି ପାଇଁ ଅନୁକୂଳ ବାତାବରଣ ସୃଷ୍ଟି କରିବା ଦିଗରେ ଉତ୍କର୍ଷ ନିମାପଡ଼ା ୨୦୨୫ ଏକ ମହତ୍ତ୍ୱପୂର୍ଣ୍ଣ ଯୋଗଦାନ ହେବ। ବର୍ଷେ ତଳେ, ଆଜିର ଦିନରେ ନିମାପଡ଼ାର ଜନତା ଭାରତୀୟ ଜନତା ପାର୍ଟିକୁ ଆଶୀର୍ବାଦ ଦେଇ “ଲୋକଙ୍କ ସରକାର” ଗଢ଼ିଥିବାରୁ ଧନ୍ୟବାଦ ଜଣାଇଥିଲେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା। ରାଜ୍ୟର ଉପମୁଖ୍ୟମନ୍ତ୍ରୀ ସହିତ ଅଞ୍ଚଳର ବିଧାୟିକା ଭାବେ ଲୋକଙ୍କ ନିକଟରେ ସିଏ ଉତ୍ତରଦାୟୀ ଏବଂ ଆଗକୁ ମଧ୍ୟ ଜନତାଙ୍କ ଭରସା ଓ ବିଶ୍ୱାସ କାମ କରିବା ପାଇଁ ଶକ୍ତି ଦେବ ବୋଲି କହିଥିଲେ ଉପମୁଖ୍ୟମନ୍ତ୍ରୀ। ଏହି ସମ୍ମିଳନୀରେ ଆଗାମୀ ଚାରି ବର୍ଷରେ ନିମାପଡ଼ାର ବିକାଶ ପାଇଁ ରୋଡ଼ ମ୍ୟାପ ତିଆରି ହେବ ଏବଂଜନତାଙ୍କ ଭରସା ସବୁ ପ୍ରତିଶ୍ରୁତି ପୂରଣ କରିବା ପାଇଁ ପ୍ରେରଣା ଦେବ ବୋଲି କହିଥିଲେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା।
ମହାମହିମ ରାଜ୍ୟପାଳ ନିଜ ଉଦବୋଧନରେ କହିଥିଲେ ଯେ ଉତ୍କର୍ଷ ନିମାପଡ଼ା ସମ୍ମିଳନୀ ଏକ ଜାଗରଣ। ନିମାପଡ଼ାର ଶିଳ୍ପ, ପର୍ଯ୍ୟଟନ, କୌଶଳ ବୃଦ୍ଧି ପାଇଁ ଏହା ରାସ୍ତା ତିଆରି କରିବ । ଯଶସ୍ବୀ ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟି ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱ ଓ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ାଙ୍କ ଅକ୍ଲାନ୍ତ ପରିଶ୍ରମ ଦ୍ୱାରା ନିମାପଡ଼ା ବିକାଶ ପଥରେ ଅଛି ଏବଂ ବିକଶିତ ଓଡ଼ିଶା ଓ ବିକଶିତ ଭାରତର ସ୍ବପ୍ନକୁ ପୁରା କରିବା ପାଇଁ ପ୍ରଥମେ ବିକଶିତ ବିଧାନସଭା ହେବା ଆବଶ୍ୟକ ଏବଂ ନିମାପଡ଼ା ସେଥିରେ ଅଗ୍ରଣୀ ହେବ ବୋଲି କହିଥିଲେ ମହାମହିମ ରାଜ୍ୟପାଳ ଡ଼ଃ ହରିବାବୁ କମ୍ଭମପାଟି। ଧନୁଆ ନଦୀର ବନ୍ୟାଜଳ ନିୟନ୍ତ୍ରଣ ପାଇଁ ସ୍ଥାୟୀ ପ୍ରତିକାର ନିମନ୍ତେ ଅନୁମୋଦନ ଦେଇଥିବାରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏବଂ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ାଙ୍କୁ ଧନ୍ୟବାଦ ଜଣାଇଥିଲେ ଜଗତସିଂହପୁର ସାଂସଦ ଶ୍ରୀ ବିଭୁ ପ୍ରସାଦ ତରାଇ ।
କାର୍ଯ୍ୟକ୍ରମରେ ରାଜ୍ୟପାଳଙ୍କ ଦ୍ୱାରା ‘ଉତ୍କର୍ଷ ନିମାପଡ଼ା’ ୱେବସାଇଟ ଉନ୍ମୋଚନ କରାଯାଇଥିଲା ଏବଂ ସ୍ଥାନୀୟ ପ୍ରଶାସନ ଦ୍ୱାରା ସ୍ମୃତି ସ୍ୱରୂପ ଛେନା ଝିଲ୍ଲୀର ଫୋଟଚିତ୍ର ଅତିଥି ମାନଙ୍କୁ ପ୍ରଦାନ କରାଯାଇଥିଲା। ଏହି ପରିପ୍ରେକ୍ଷୀରେ ଦଶମରେ 567 ନମ୍ବର ରଖିଥିବା ଉତ୍କଳମଣି ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟର ତନ୍ମୟା ମିଶ୍ର, ଏବଂ ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ 562 ରଖି କୃତକାର୍ଯ୍ୟ ହୋଇଥିବା ରାଜେଶ କୁମାର ନାୟକଙ୍କ ସମେତ ନଅଜଣ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା । ସେହିପରି ନିମାପଡ଼ା ବିଜ୍ଞାପିତ ଅଞ୍ଚଳର ସଫେଇ କର୍ମଚାରୀ ଜୟନ୍ତୀ ବେୱା, ଏବଂ ସନ୍ତୋଷ ମଲ୍ଲିକ, ତେରୁଣ୍ଡିଆ ଅଞ୍ଚଳର ଲକ୍ଷପତି ଦିଦି ସଂଯୁକ୍ତା ସ୍ୱାଇଁ ଏବଂ କୁସୁପୁରର କଲ୍ପନା ଦେ, ଏବଂ ସୁଭଦ୍ରା ସହାୟତାକୁ କାମରେ ଲଗାଇ ଉଦ୍ୟୋଗୀ ହୋଇଥିବା ଓ କିଛି ବ୍ୟବସାୟୀଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା ।
ପରେ ଗ୍ରାମ୍ୟ ବିକାଶ,ସ୍ୱାସ୍ଥ୍ୟସେବା, ଶିକ୍ଷା,ସ୍ମାର୍ଟ ନିମାପଡ଼ା, ମହିଳା ସଶକ୍ତିକରଣ, ଅପରାଧ ମୁକ୍ତ ନିମାପଡ଼ା ବିଷୟ ଗୁଡିକ ଉପରେ ଜନପ୍ରତିନିଧି , ବୁଦ୍ଧିଜୀବୀ ଏବଂ ଜନତାଙ୍କ ମଧ୍ୟରେ ମତ ବିନିମୟ ହୋଇଥିଲା । ଏହି ସମ୍ମିଳନୀର ପ୍ରତି ଆଲୋଚନା ଚକ୍ରରେ ବାହାରିଥିବା ନିଷ୍କର୍ସ ଗୁଡିକୁ ନେଇ ଭିଜନ ଡକ୍ୟୁମେଣ୍ଟ ପ୍ରସ୍ତୁତ ହେବ ଏବଂ ଆଗାମୀ ଚାରିବର୍ଷରେ ନିମାପଡ଼ାର ବିକାଶ ପାଇଁ ଏକ ରୋଡମ୍ୟାପ ପ୍ରସ୍ତୁତ ହେବ । କାର୍ଯ୍ୟକ୍ରମରେ ମାନନୀୟା ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା , ମାନ୍ୟବର ଜଗତସିଂହପୁର ସାଂସଦ ଶ୍ରୀ ବିଭୁ ପ୍ରସାଦ ତରାଇ, ମାନ୍ୟବର ସତ୍ୟବାଦୀ ବିଧାୟକ ଶ୍ରୀ ଓମ ପ୍ରକାଶ ମିଶ୍ର, ବ୍ରହ୍ମଗିରି ବିଧାୟିକା ଶ୍ରୀମତୀ ଉପାସନା ମହାପାତ୍ର, ପିପିଲି ବିଧାୟକ ଶ୍ରୀ ଆଶ୍ରିତ ପଟ୍ଟନାୟକ, ପୁରୀ ବିଧାୟକ ଶ୍ରୀ ସୁନୀଲ ମହାନ୍ତି, ମିଶନ ଶକ୍ତି ନିର୍ଦ୍ଦେଶିକା ମନୀଷା ପ୍ରିୟଦର୍ଶିନୀ, ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ, ଆରକ୍ଷୀ ଅଧିକ୍ଷକ ବିନୀତ ଅଗ୍ରୱାଲ, ନିମାପଡ଼ା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅଭିଜିତ ଷଢଙ୍ଗୀ ଏବଂ ଅନ୍ୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।