ଦଳ ବିରୋଧରେ କହିବା ମହଙ୍ଗା ପଡିଲା ବିଜେଡିର ବରିଷ୍ଠ ନେତା ତଥା ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ବାଳଙ୍କୁ । ବିଜେଡିରୁ ପ୍ରଭାତ ବିଶ୍ବାଳ ହେଲେ ବହିଷ୍କୃତ। ଦଳ ବିରୋଧୀ କାର୍ଯ୍ୟ ପାଇଁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ବିଜେଡି ସଭାପତି ନବୀନ ପଟ୍ଟନାୟକ ନିର୍ଦେଶରେ ତାଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି।
ବିଜେଡି ଆଜି ରାଜ୍ୟସଭା ପ୍ରାର୍ଥୀ ଘୋଷଣା କରିଥିଲା। ଏହା ପରେ ବିଷୋଦଗାର କରିଥିଲେ ପ୍ରଭାତ ବିଶ୍ଵାଳ। ସେ କହିଥିଲେ ମୋ ମନରେ ଦୀର୍ଘ ସମୟ ଧରି ଅସନ୍ତୋଷ ରହିଛି। ବିଜେଡି ଦଳର କର୍ମୀକୁ ଦେଖି ଦଳରେ ଠିକ ନିଷ୍ପତ୍ତି ନିଆଯିବାର ଆବଶ୍ୟକତା ରହିଛି। ସେ ଦଳର କାର୍ଯ୍ୟଶୈଳୀକୁ ସମାଲୋଚନା କରିଥିଲେ। ତାଙ୍କ ବକ୍ତବ୍ୟକୁ ନେଇ ଦଳ ସଭାପତି ନବୀନ ପଟ୍ଟନାୟକ ଖପ୍ପା ହୋଇଥିଲେ। ଆଉ ପ୍ରଭାତଙ୍କୁ ଦଳରୁ ନବୀନ ବିଦା କରିଛନ୍ତି ।
ସୂଚନାଯୋଗ୍ୟ ଯେ ପ୍ରଭାତ ବିଧାୟକ ଭାବେ ତିନିଥର ଜିତିଛନ୍ତି । ୨୦୦୪ ମସିହାର ସେ କଟକ ସଦର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିଲେ। ପରେ ୨୦୦୯ ଓ ୨୦୧୪ ବିଧାନସଭା ନିର୍ବାଚନରେ ସେ ଚୌଦ୍ୱାର – କଟକ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିଲେ । ସେ ଚିଟଫଣ୍ଡ ମାମଲାରେ ଫସି ବିବାଦୀୟ ହୋଇ ପଡିଥିଲେ। ଫଳରେ ତାଙ୍କ ରାଜନୈତିକ କ୍ୟାରିୟର ପ୍ରଭାବିତ ହୋଇଥିଲା।
