ସଂଚାର ବ୍ୟୁରୋ: ଏକ ତରଫା ପ୍ରେମରୁ ପ୍ରତିଶୋଧ । ମହିଳାଙ୍କୁ ପ୍ରେମ ନିବେଦନ କରି ବିଫଳ ହେବାରୁ ଫେକ୍ ଅଶ୍ଲୀଳ ଫଟୋ ଅପଲୋଡ୍ କରିବା ଅଭିଯୋଗ। ଏହି ଘଟଣା ହେଉଛି କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ଥାନା ଅଞ୍ଚଳର। ଗରଦପୁର ଗାଁର ଜଣେ ବିବାହିତା ମହିଳା ଏକ ବର୍ଷ ତଳେ ରାହାମାରେ ଥିବା ସ୍ପନ୍ଦନା ଫାଇନାନ୍ସ ଶାଖାରୁ ଋଣ ଆଣିଥିଲେ। କିସ୍ତି ଆଦାୟ ପାଇଁ ସେହି ଫାଇନାସନ୍ସ ଶାଖାର ଜଣେ କର୍ମଚାରୀ ବିପ୍ଳବ ପରିଡା ସେହି ମହିଳାଙ୍କ ଘରକୁ ନିୟମିତ ଭାବେ ଆସୁଥିଲେ।
ମହିଳା ଜଣକ ଋଣ ପରିଶୋଧ କରିବା ସତ୍ତ୍ଵେ ବିପ୍ଲବ ତାଙ୍କ ଘରକୁ ବାରମ୍ଵାର ଆସି ଏକ ତରଫା ପ୍ରେମ ନିବେଦନ କରୁଥିଲେ। ସେହି ମହିଳା ଜଣକ କିନ୍ତୁ ଏହି ପ୍ରେମ ନିବେଦନକୁ ପ୍ରତ୍ୟାଖ୍ୟାନ କରିଆସୁଥିଲେ। ତେଣୁ ବିପ୍ଲବ ପ୍ରତିଶୋଧ ପରାୟଣ ହୋଇ ସେହି ମହିଳାଙ୍କ ନାଁରେ ନିଜେ ଫେକ ଇନଷ୍ଟାଗ୍ରାମ ଆଇଡି ଖୋଲି ଥିବାର ଅଭିଯୋଗ ହୋଇଛି।
ଏବଂ ସେହି ଫେକ୍ ଆଇଡିରୁ ଫଟୋକୁ ଅଶ୍ଳୀଳ ଭାବେ ଏଡିଟ କରି ଅପଲୋଡ଼ କରି ବ୍ଲାକମେଲିଂ କରୁଥିଲେ। ଏପରିକି ମହିଳାଙ୍କ ନାବାଳିକା ଝିଅକୁ ହତ୍ୟା କରିବାକୁ ଧମକ ଦେଇଥଲେ। ଏହାକୁ ନେଇ ପୀଡ଼ିତା ପାଟକୁରା ଥାନାରେ ଅଭିଯୋଗ କରିଛନ୍ତି। ସାଇବର ସେଲରେ ମଧ୍ୟ ସେ ଅଭିଯୋଗ କରିଛନ୍ତି। ସେହି ଅଭିଯୁକ୍ତ ବିପ୍ଲବ କହିଛି, ସେ ସଂପୃକ୍ତ ମହିଳାଙ୍କୁ ଚିହ୍ନି ବି ନାହାନ୍ତି।