ପ୍ରଥମେ ବିସ୍ଫୋରଣ। ପରେ ଗୋଟିଏ ଘଣ୍ଟା ଧରି ଚାଲିଲା ଫାୟାରିଂ। ପାକିସ୍ତାନ କ୍ଵେଟାରୁ ପେଶାୱର ଯାଉଥିବା ଜାଫର ଏକ୍ସପ୍ରେସ ହାଇଜାକ ଘଟଣାର ଛାତିଥରା କାହାଣୀ ବଖାଣିଛନ୍ତି ମୁକୁଳିଥିବା ଜଣେ ଟ୍ରେନ ଯାତ୍ରୀ। ଟ୍ରେନ ହାଇଜାକ କରିବା ପୂର୍ବରୁ ପ୍ରଥମେ ବନ୍ଧୁକଧାରୀ ବିସ୍ଫୋରଣ କରିଥିଲେ। ଏହାପରେ ୫୦ ମିନିଟ ଧରି ଫାୟାରିଂ କରିଥିଲେ। ବଲୁଚ ଲିବେରେସନ ଆର୍ମି ବିସ୍ଫୋରଣ ଘଟାଇ ଏହି ଗୁଳିକାଣ୍ଡ ଘଟାଇଥିଲା। ଟ୍ରେନ ଭିତରକୁ ପଶି ଆଖିବୁଜା ଗୁଳିମାଡ଼ କରିଥିଲେ। ଏଥିରେ ୧୧ ଜଣ ସୁରକ୍ଷାକର୍ମୀଙ୍କ ମୃତ୍ୟୁ ଘଟିଥିଲା। ଯାତ୍ରୀଙ୍କୁ ଉଦ୍ଧାର କରିବା ଲାଗି ମାଲଗାଡ଼ିର ସହାୟତା ନିଆଯାଇଥିଲା। ଘଟଣାକୁ ୨୪ ଘଣ୍ଟାରୁ ଅଧିକ ସମୟ ବିତିଥିଲେ ମଧ୍ୟ ସମସ୍ତ ଯାତ୍ରୀଙ୍କୁ ଉଦ୍ଧାର କରାଯାଇପାରିନାହିଁ। ମୋଟ ୧୫୫ ଯାତ୍ରୀ ଉଦ୍ଧାର ହୋଇଥିବାବେଳେ ଅନେକ ଯାତ୍ରୀଙ୍କୁ ଅପହରଣ କରି ପାହାଡକୁ ନେଇଯାଇଥିବା ଜଣାପଡିଛି। ଯାତ୍ରୀଙ୍କୁ ଉଦ୍ଧାର କରିବାରୁ ପାକ ସେନା ପକ୍ଷରୁ ଚାଲିଛି ରେସକ୍ଯୁ ଅପରେସନ। ବର୍ତ୍ତମାନ ସୁଦ୍ଧା ୨୭ ବିଦ୍ରୋହୀଙ୍କୁ ମାରିଥିବା କହିଛି ପାକସେନା। ସେପଟେ ବିଦ୍ରୋହୀଙ୍କ ଗୁଳିରେ ପାକିସ୍ତାନର ୩୦ ଯବାନଙ୍କ ମୃତ୍ଯୁ ହୋଇଥିବା ଦାବି କରିଛି ବଲୁଚ ଲିବେରେସନ ଆର୍ମି। ଟ୍ରେନ ଲାଇନକୁ ବିସ୍ଫୋରଣରେ ଉଡାଇ ଦେବା ପରେ ଟ୍ରେନକୁ ସେମାନେ ନିଜ କବଜାକୁ ନେଇଥିଲେ। ଟ୍ରେନର ଲୋକୋ ପାଇଲଟଙ୍କୁ ମଧ୍ୟ ଆତଙ୍କୀ ହତ୍ୟା କରିଥିବା ଜଣାପଡିଛି। ପଣବନ୍ଦୀଙ୍କ ବଦଳରେ ସମସ୍ତ ବଲୁଚ୍ ଆତଙ୍କବାଦୀଙ୍କୁ ପାକିସ୍ତାନ ସରକାର ଛାଡ଼ି ଦିଅନ୍ତୁ ବୋଲି ଦାବି କରିଛି ବଲୁଚ୍ ଲିବେରେସନ ଆର୍ମି।.