ପାକିସ୍ତାନ ବଲୁଚିସ୍ତାନରେ ମାତିଲେ ଆତଙ୍କବାଦୀ। ଏକ ଯାତ୍ରୀବାହୀ ଟ୍ରେନ ଉପରେ କରିଛନ୍ତି ଆକ୍ରମଣ। ଦକ୍ଷିଣ ପଶ୍ଚିମ ବଲୁଚିସ୍ତାନର କ୍ବେଟାରୁ ଖାଇବର ପାଖତୁନଖାୱାକୁ ଯାଉଥିବା ଜାଫର ଏକ୍ସପ୍ରେସ ଉପରେ ବଲୁଚ ଲିବରେସନ ଆର୍ମିର ଆତଙ୍କବାଦୀ କରିଥିଲେ ହମଲା। ଏପରିକି ସମ୍ପୂର୍ଣ୍ଣ ଟ୍ରେନଟିକୁ ନିଜ କବଜାରେ ରଖିଥିବା ସୂଚନା ମିଳିଛି। ଟ୍ରେନରେ ୫୦୦ରୁ ଅଧିକ ଯାତ୍ରୀ ଥିବା ସୂଚନା ମିଳିଛି। ଆତଙ୍କବାଦୀଙ୍କ ଆକ୍ରମଣରେ ଟ୍ରେନ ଡ୍ରାଇଭର ଆହତ ହୋଇଥିବାବେଳେ ୧୧ ସାମରିକ ଅଧିକାରୀ ନିହତ ହୋଇଥିବା ସୂଚନା ମିଳିଛି। ପ୍ରାୟ ୨୦୦ ଯାତ୍ରୀଙ୍କୁ ଆତଙ୍କବାଦୀ ପଣବନ୍ଦୀ ରଖିଥିବା ଜଣାଯାଇଛି। ଟ୍ରେନରେ ସେନା, ପୋଲିସ, ଆତଙ୍କବାଦୀ ନିରୋଧୀ ବାହିନୀ ଥିବାବେଳେ ଏହାକୁ ଟାର୍ଗେଟ କରିଥିଲେ ଆତଙ୍କା। ଆଇଏସଆଇର କିଛି ଅଧିକାରୀ ଟ୍ରେନରେ ଥିବା ଜଣାଯାଇଛି। ଯଦି ସାମରିକ କାର୍ଯ୍ୟାନୁଷ୍ଠାନ ହୁଏ ତେବେ ସମସ୍ତ ପଣବନ୍ଦୀଙ୍କୁ ହତ୍ୟା କରିବାକୁ ଧମକ ଦେଇଛନ୍ତି ଆତଙ୍କୀ। ଘଟଣାସ୍ଥଳରେ ସାମରିକ ବାହିନୀ ପହଞ୍ଚି ଛାନବିନ ଜାରି ରଖିଛି। ଏହି ଘଟଣାରେ ବଲୁଚିସ୍ତାନରେ ଏମର୍ଜେନସି ଜାରି କରାଯାଇଛି। ଜାଫର ଏକ୍ସପ୍ରେସରେ ୯ଟି କୋଚ ଥିବା ସୂଚନା ମିଳିଛି। ଆତଙ୍କବାଦୀମାନେ ମହିଳା, ଶିଶୁ ଓ ବଲୁଚିସ୍ତାନ ନାଗରିକଙ୍କୁ ଛାଡିଦେଇଛନ୍ତି। ପାକିସ୍ତାନଠାରୁ ବଲୁଚିସ୍ତାନର ସ୍ବାଧୀନତା ଚାହୁଁଛି ବଲୁଚ ଲିବରେସନ ଆର୍ମି ବା ବିଏଲଏ। ଇରାନ ଓ ଆଫଗାନିସ୍ତାନ ସୀମାକୁ ଲାଗିଥିବା ବଲୁଚିସ୍ତାନରେ ବର୍ଷ ବର୍ଷ ଧରି ବିଦ୍ରୋହ ଲାଗି ରହିଛି। ସେଠାରେ ବାରମ୍ବାର ଆତଙ୍କବାଦୀ ହମଲା ଘଟିଛି ଓ ଆଇଇଡି ବିସ୍ଫୋରଣ ଘଟୁଛି। ୨୦୦୦ରେ ପ୍ରତିଷ୍ଠିତ ବିଏଲଏ ବଲୁଚିସ୍ତାନର ସ୍ବାଧୀନତା ଦାବି କରିଆସୁଛି। ପାକିସ୍ତାନ ବିରୋଧରେ ବି ବିଏଲଏ ସର୍ବଦା ସଂଗ୍ରାମ କରିଆସୁଛି।