ସଂଚାର ବ୍ୟୁରୋ: ପାକିସ୍ତାନକୁ ପହଲଗାଓଁ ଝଟକା। ଭାରତୀୟ ବିମାନ ଲାଗି ନିଜର ଏୟାରସ୍ପେସ ବନ୍ଦ କରିବା କାରଣରୁ ଗତ ଦୁଇ ମାସ ମଧ୍ୟରେ ପାକିସ୍ତାନ କ୍ଷତି କରିଛି ୧୨୪୦ କୋଟି ଟଙ୍କା। ପାକିସ୍ତାନୀ ମୁଦ୍ରାରେ ଏହି କ୍ଷତିର ପରିମାଣ ହେଉଛି ୪.୧ ବିଲିୟନ ପାକିସ୍ତାନୀ ଟଙ୍କା। କ୍ଷତି ସମ୍ପର୍କରେ ସୂଚନା ଦେଇଛି ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରାଳୟ। ଏପ୍ରିଲ ୨୨ ପହଲଗାଓଁ ହମଲା ପରେ ଭାରତ ସିନ୍ଧୁ ଜଳ ଚୁକ୍ତି ବାତିଲ କରିଥିଲା। ପ୍ରତିବାଦରେ ନିଜର ଆକାଶ ସୀମାକୁ ବନ୍ଦ କରିଥିଲା ପାକିସ୍ତାନ। ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀ ଖ୍ବାଜା ମହମ୍ମଦ ଆସିଫ କହିଛନ୍ତି- ଭାରତୀୟ ବିମାନ ଲାଗି ନିଜର ଆକାଶସୀମା ବନ୍ଦ କରିବା ଯୋଗୁ ପାକିସ୍ତାନର ବିପୁଳ କ୍ଷତି ଘଟିଛି। ପାକିସ୍ତାନ ସୀମା ପାର ହୋଇ ଯାତାୟାତ କରୁଥିବା ସମସ୍ତ ପ୍ରକାର ଭାରତୀୟ ବିମାନକୁ ନିଷିଦ୍ଧ କରିବା ଯୋଗୁ ପାକିସ୍ତାନ ବିପୁଳ ଆର୍ଥିକ କ୍ଷତିର ସମ୍ମୁଖୀନ ହୋଇଛି। ପାକିସ୍ତାନର ଏହି ନିଷ୍ପତ୍ତି ଯୋଗୁ ଦୈନିକ ୧୦୦ରୁ ୧୫୦ ବିମାନର ଯାତାୟାତ ପ୍ରଭାବିତ ହୋଇଥିଲା ଏବଂ ପାକିସ୍ତାନର ଟ୍ରାଞ୍ଜିଟ ଏୟାର ଟ୍ରାଫିକ ୨୦ ପ୍ରତିଶତ ହ୍ରାସ ପାଇଥିଲା। ସେପଟେ ଆସନ୍ତା ଅଗଷ୍ଟ ୨୪ ଯାଏ ଭାରତୀୟ ବିମାନ ଲାଗି ନିଜର ଆକାଶସୀମା ବନ୍ଦ ଅବଧିକୁ ବଢାଇଛି ପାକିସ୍ତାନ। ଏପ୍ରିଲ ୨୨ରେ ପହଲଗାଓଁରେ ଆତଙ୍କୀ ଆକ୍ରମଣରେ ୨୬ ଜଣଙ୍କ ମୃତ୍ୟୁ ହେବା ପରେ ୨୩ରେ ସିନ୍ଧୁ ଜଳ ଚୁକ୍ତି ରଦ୍ଦ କରିଥିଲା ଭାରତ। ୨୪ ତାରିଖରେ ପାକିସ୍ତାନ ବାତିଲ କରିଥିଲା ଐତିହାସିକ ସିମଳା ଚୁକ୍ତି। ପରେ ୨୯ ତାରିଖରେ ଏୟାର ସ୍ପେସ ବନ୍ଦ କରିଥିଲା ପାକିସ୍ତାନ। ପ୍ରତିବାଦରେ ୩୦ ଏପ୍ରିଲରେ ନିଜର ଏୟାରସ୍ପେସ ବନ୍ଦ କରିଥିଲା ଭାରତ।..