ପୁଣି ବିବାଦ ସୃଷ୍ଟି କଲେ ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି. ଚିଦାମ୍ବରମ। କହିଛନ୍ତି ୧୯୮୪ ଅପରେସନ ବ୍ଲୁଷ୍ଟାର ଥିଲା ଭୁଲ୍। ପଞ୍ଜାବର ସ୍ବର୍ଣ୍ଣ ମନ୍ଦିରକୁ କବଜା କରିବା ଲାଗି ହୋଇଥିବା ଏହି ଅପରେସନ ଲାଗି ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କୁ ଜୀବନ ଦେବାକୁ ପଡ଼ିଲା। କାସାଉଲିରେ ଆୟୋଜିତ ଏକ ସାହିତ୍ୟ ସମାବେଶରେ ଯୋଗ ଦେଇ ଚିଦାମ୍ବରମ କହିଛନ୍ତି- କୌଣସି ସାମରିକ ଅଧିକାରୀଙ୍କ ପ୍ରତି ଅସମ୍ମାନ କରାଯାଉନାହିଁ, କିନ୍ତୁ ସ୍ୱର୍ଣ୍ଣ ମନ୍ଦିର ପୁନରୁଦ୍ଧାର କରିବା ଲାଗି ଗ୍ରହଣ କରାଯାଇଥିବା ଏହି ପଦକ୍ଷେପ ଭୁଲ ଥିଲା। ଏଥିପାଇଁ ଇନ୍ଦିରାଙ୍କୁ ମୂଲ୍ୟ ଦେବାକୁ ପଡ଼ିଲା। ୧୯୮୪ ଜୁନରେ ହୋଇଥିବା ଅପରେସନ ବ୍ଲୁଷ୍ଟାର ଜରିଆରେ ଅମୃତସର ସ୍ବର୍ଣ୍ଣମନ୍ଦିର ପରିସରରୁ ଆତଙ୍କୀମାନଙ୍କୁ ବାହାର କରିବାକୁ ବଡ଼ ଧରଣର ଅପରେସନ ହୋଇଥିଲା। ତେବେ ଏହି ନିଷ୍ପତ୍ତି କେବଳ ଇନ୍ଦିରା ଗାନ୍ଧୀଙ୍କର ନଥିଲା ବୋଲି ସେ କହିଛନ୍ତି। ସେନା, ପୋଲିସ, ଗୁଇନ୍ଦା ଅଧିକାରୀ ଓ ବେସାମରିକ ବିଭାଗର ମିଳିତ ନିଷ୍ପତ୍ତି ଥିଲା। ଅପରେସନ ଲାଗି କେବଳ ଇନ୍ଦିରାଙ୍କୁ ଦୋଷ ଦେବା ଠିକ୍ ନୁହେଁ। ପଞ୍ଜାବ ପ୍ରସଙ୍ଗରେ ସେ କହିଛନ୍ତି- ଖଲିସ୍ତାନୀମାନଙ୍କ ସ୍ବର ବର୍ତ୍ତମାନ ମିଲାଇଗଲାଣି। ରାଜ୍ୟର ଅର୍ଥନୈତିକ ଅବସ୍ଥା ବିଗିଡ଼ିବାରେ ଲାଗିଛି। ଖଲିସ୍ତାନ ଗଠନ ଦାବି ବର୍ତ୍ତମାନ ଧିମେଇ ଯାଇଛି। ଏହାର ପ୍ରକୃତକାରଣ ଅର୍ଥନୈତିକ ଦୁରବସ୍ଥା। ବେଆଇନ ପ୍ରବାସୀଙ୍କ ମଧ୍ୟରେ ପଞ୍ଜାବ ବାସିନ୍ଦା ଅଧିକ ବୋଲି ସେ କହିଛନ୍ତି। ୧୯୮୪ ଜୁନ ୧ରୁ ୧୦ ଯାଏ ଚାଲିଥିଲା ଏହି ଅପରେସନ। ଏଥିରେ ଆତଙ୍କବାଦୀ ନେତା ଜର୍ଣ୍ଣେଲ ସିଂ ଭିନ୍ଦରନବାଲେଙ୍କ ମୃତ୍ୟୁ ଘଟିଥିଲା। ଏହି ଅପରେସନରେ ସାମିଲ ହୋଇଥିଲେ ସେନା, ସିଆରପିଏଫ, ବିଏସଏଫ, ସ୍ପେସାଲ ଫ୍ରଣ୍ଟିୟର ବାହିନୀ, ପଞ୍ଜାବ ପୋଲିସ।

