ସଂଚାର ବ୍ୟୁରୋ: ‘ୱାନ ନେସନ, ୱାନ ଇଲେକ୍ସନ’ ବା ‘ଗୋଟିଏ ଦେଶ, ଗୋଟିଏ ନିର୍ବାଚନ’ ଦିଗରେ ଆଜି ଆଉ ପାଦେ ଆଗେଇଛନ୍ତି କେନ୍ଦ୍ର ସରକାର। ‘ୱାନ ନେସନ, ୱାନ ଇଲେକ୍ସନ’ ନେଇ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ ଗଠିତ କମିଟିର ରିପୋର୍ଟକୁ ମିଳିଛି କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ। କୁହାଯାଉଛି, ଆସନ୍ତା ଶୀତ ଅଧିବେଶନରେ ସରକାର ଏ ସଂପର୍କିତ ବିଲକୁ ସଂସଦରେ ଉପସ୍ଥାପନ କରିବେ।
ଦେଶରେ ‘ୱାନ ନେସନ, ୱାନ ଇଲେକ୍ସନ’ କରାଇବାର ସମ୍ଭାବନା ଉପରେ ସମସ୍ତ ଦିଗକୁ ପରିଖି ଏକ ରିପୋର୍ଟ ଦେବାକୁ ୨୦୨୩ ସେପ୍ଟେମ୍ବର ମାସରେ ରାମନାଥ କୋବିନ୍ଦଙ୍କ ନେତୃତ୍ୱରେ ଏକ କମିଟି ଗଠନ କରିଥିଲେ କେନ୍ଦ୍ର ସରକାର। ବିଭିନ୍ନ ବର୍ଗର ବ୍ୟକ୍ତି ବିଶେଷ ଓ ବିଶେଷଜ୍ଞଙ୍କ ପରାମର୍ଶ ଏବଂ ୧୯୧ ଦିନର ଗବେଷଣା ପରେ ଏହି କମିଟି ୧୮,୬୨୬ ପୃଷ୍ଠାର ଏକ ରିପୋର୍ଟ ପ୍ରସ୍ତୁତ କରିଥିଲା। କମିଟି ଗତ ମାର୍ଚ୍ଚ ମାସରେ ତା’ର ରିପୋର୍ଟ ସରକାରଙ୍କୁ ପ୍ରଦାନ କରିଥିଲା। କେନ୍ଦ୍ର କ୍ୟାବିନେଟ ଆଜି ଏହି ରିପୋର୍ଟ ଉପରେ ମୋହର ମାରିଛନ୍ତି।