ସଂଚାର ବ୍ୟୁରୋ: ଓଲିଉଡରେ ଥମିବାର ନାଁ ନେଉନି ବିବାଦ । ଦିନକୁ ଦିନ ଫିଲ୍ମ ଅପେକ୍ଷା କଳି ପାଇଁ ବେଶ ଚର୍ଚ୍ଚାରେ ରହୁଛନ୍ତି ଓଡ଼ିଆ କଳାକାର । ତେଜୁଛି ଓଲିଉଡ୍ କଳି । ଅଭିନେତା ମନୋଜ ମିଶ୍ରଙ୍କ ନାଁରେ ସାଇବର ଥାନାରେ ଏତଲା ପରେ ସେ ବର୍ଷିଛନ୍ତି। ତାଙ୍କୁ ପୁଣି କାଉଣ୍ଟର କରିଛନ୍ତି ସବ୍ୟସାଚୀ ମହାପାତ୍ର । । ଗତକାଲି ଓଡ଼ିଶା ଫିଲ୍ମ ଓ ଟେଲିଭିଜନ ନିର୍ଦ୍ଦେଶ ସଂଘ ଦେଇଥିବା ଏତଲା ନେଇ ମନୋଜ ମିଶ୍ର କହିଛନ୍ତି, ପୋଲିସ ପକ୍ଷରୁ ମୋତେ କୌଣସି ସମନ ଆସିନାହିଁ। କିନ୍ତୁ ମୁଁ ଓଡ଼ିଆ ପ୍ରଯୋଜକଙ୍କୁ ନିନ୍ଦା କରି ନାହିଁ। ଓଲିଉଡରେ ବି ବହୁତ ବିଜ୍ଞ ପ୍ରଯୋଜକ ଅଛନ୍ତି । ଓଡ଼ିଆ ସିନେମା ଇଣ୍ଡଷ୍ଟ୍ରି କାହାର ପୈତୃକ ସମ୍ପତ୍ତି ନୁହଁ ।
ସମୟ ସହ ତାଳ ଦେଇ ଓଡ଼ିଆ ସିନେମା ଆଗକୁ ବଢୁନି, ତାହା ଦୁଖଃର ବିଷୟ। ଏଠି କାମ ଅପେକ୍ଷା ଅଧିକ ଷଡଯନ୍ତ୍ର ଚାଲିଛି । ମୁଖ୍ୟ ପ୍ରସଙ୍ଗ ହେଲା ଓଡ଼ିଆ ସିନେମା କିପରି ଟେକ୍ନିକାଲ ଭଲ ହେବ, ସେଥିପାଇଁ ସମସ୍ତେ ଧ୍ୟାନ ଦେବା ଦରକାର। ଦମନ, କର୍ମ ଭଳି ଅନେକ ଭଲ ଓଡ଼ିଆ ଫିଲ୍ମ ଆସିଛି। କିନ୍ତୁ ଓଡ଼ିଆ ଫିଲ୍ମର ଭଲ ପାଇଁ ସେ ଆଗକୁ ବି ମୁହଁ ଖୋଲିବେ ବୋଲି କହିଛନ୍ତି। ଏହି ଅବସରରେ ବବି ଇସଲାମ, ତାପସ ସରଘରିଆ, ସବ୍ୟସାଚୀ ମହାପାତ୍ର ପ୍ରମୁଖଙ୍କୁ ଟାର୍ଗେଟ କରିଥିଲେ ମନୋଜ ମିଶ୍ର ।
ସେପଟେ ସାଙ୍ଗେ ସାଙ୍ଗେ ତାଙ୍କୁ ଜବାବ ଦେଇଛନ୍ତି ସବ୍ୟସାଚୀ ମହାପାତ୍ର। ବାରମ୍ଵାର ଅଭିଯୋଗ ନ କରିବାକୁ ସେ ଅନୁରୋଧ କରିଛନ୍ତି। ବର୍ତ୍ତମାନ ସମୟ ଆସିଛି ଏ ସବୁ ବିବାଦର ଆପୋଷ ସମାଧାନ ହେବା ଦରକାର। ସିନେମାର ବିକାଶ ପାଇଁ ମନୋଜ ମିଶ୍ର ଯେଉଁ ସବୁ ପ୍ରସ୍ତାବ ଦେଇଛନ୍ତି, ୬ ବର୍ଷ ହେଲା ଆମେ ସରକାରଙ୍କ ନିକଟରେ ସେହି ଦାବି ରଖି ଆସୁଛୁ ବୋଲି କହିଛନ୍ତି ସବ୍ୟସାଚୀ ମହାପାତ୍ର।