ଭିଜିଲାନ୍ସ ଜାଲରେ ଦୁଇ ସରକାରୀ ବାବୁ । ଆୟବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ କଟକ ବାରଙ୍ଗ ତହସିଲର ଅତିରିକ୍ତ ତହସିଲଦାର ଜିତେନ୍ଦ୍ର କୁମାର ପଣ୍ଡା ଏବଂ କେନ୍ଦୁଝର ଜିଲ୍ଲାର ଆନନ୍ଦପୁର ହାଟଡ଼ିହି ବ୍ଲକ୍ PEO ଜିତେନ୍ଦ୍ର ଜେନାଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ହୋଇଛି । ଅତିରିକ୍ତ ତହସିଲଦାର ଜିତେନ୍ଦ୍ର ପଣ୍ଡାଙ୍କ ଏକକାଳୀନ ୪ଟି ସ୍ଥାନରେ ଭିଜିଲାନ୍ସ ଟିମ ଚଢ଼ାଉ କରି ଯାଞ୍ଚ ଚଲାଇଛନ୍ତି । ଏଥିରେ ୪ ଜଣ ଡିଏସପି, ୭ ଜଣ ଇନ୍ସପେକ୍ଟର, ଜଣେ ଏଏସଆଇ ଓ ସହାୟକ କର୍ମଚାରୀ ସାମିଲ ହୋଇଛନ୍ତି । ବିଭିନ୍ନ ସ୍ଥାନରେ ଠାବ ହୋଇଛି ବାବୁଙ୍କର ବହୁତଳ ଅଟ୍ଟାଳିକା । ଭୁବନେଶ୍ବର ବଡ଼ଗଡ ଓ ବ୍ରିଟ କଲୋନୀରେ ଦୁଇଟି ତିନି ମହଲା ଓ ଖୋର୍ଦ୍ଧା ସନପଲାରେ ଦୁଇଟି ଦୁଇମହଲା କୋଠା ରହିଛି । ଏସବୁ ସ୍ଥାନ ସମେତ ବାରଙ୍ଗସ୍ଥିତ କାର୍ଯ୍ୟାଳୟରେ ମଧ୍ୟ ଚଢ଼ାଉ କରୁଛି ଭିଜିଲାନ୍ସ।
ସେହିପରି ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ କେନ୍ଦୁଝର ହାଟଡିହି ବ୍ଲକ ବଞ୍ଚୋ ଗ୍ରାମପଞ୍ଚାୟତ ପିଇଓ ଜିତେନ୍ଦ୍ର କୁମାର ଜେନାଙ୍କ ବିଭିନ୍ନ ଠିକଣାରେ ବି ଚାଲିଛି ଭିଜିଲାନ୍ସ ଚଢ଼ାଉ । ତାଙ୍କ ବାସଭବନ ସମେତ ୬ଟି ସ୍ଥାନରେ ଚଢାଉ କରାଯାଇଛି । କେନ୍ଦୁଝର ଓ ବାଲେଶ୍ୱରର ଭିଜିଲାନ୍ସ ଟିମ ମିଳିତଭାବେ ଚଢାଉ କରିଛନ୍ତି । ବସନ୍ତିଆସ୍ଥିତ ଘର ଓ ବ୍ୟବସାୟ ପ୍ରତିଷ୍ଠାନରେ ଚଢ଼ାଉ ଚାଲିଛି । ୪ ଜଣ ଡିଏସପି ଓ ୮ ଜଣ ଇନସପେକ୍ଟରଙ୍କୁ ନେଇ ରେଡ କରାଯାଉଛି । ଚଣ୍ଡିବିରଞ୍ଚିପୁରରେ ୩ ତାଲା ଘର, ବସନ୍ତିଆଠାରେ ଥିବା ମାର୍କେଟ କମ୍ପ୍ଲେକ୍ସ, ଗୋଦାମ ଗୃହ, ବିଦ୍ୟାଧରପୁରରେ ଥିବା ଇଲେକ୍ଟ୍ରୋନିକ ଦୋକାନ, ପଢିଆରିପଲ୍ଲୀରେ ସମ୍ପର୍କୀୟଙ୍କ ଘର ଓ ପଞ୍ଚାୟତ କାର୍ଯ୍ୟାଳୟରେ ଏକାବେଳକେ ରେଡ ଚାଲିଛି।

