ସଂଚାର ବ୍ୟୁରୋ: ରାଜ୍ୟରେ ପ୍ରତିଷ୍ଠା ହେବ ଭିଜିଲାନ୍ସ ଫରେନ୍ସିକ ବିଜ୍ଞାନ ଅନୁଷ୍ଠାନ । ଏଥିରେ ୮ ଜଣ ଏସ୍ପି, ୮ ଜଣ ଏଏସ୍ପି ଏବଂ ୨୪ ଡିଏସ୍ପି କାର୍ଯ୍ୟ କରିବେ । ସେହିପରି ତଦନ୍ତରେ ସହଯୋଗ ଲାଗି ୨୪ ଜଣ ସାଇବର ଏକ୍ସପର୍ଟ, ଚାଟାର୍ଡ ଆକାଉଣ୍ଟ ଏବଂ ବ୍ୟାଙ୍କ ଏକ୍ସପର୍ଟ ରହିବେ । ଲୋକ ସେବା ଭବନରେ ଆୟୋଜିତ ଦୁର୍ନୀତି ନିବାରଣ ସପ୍ତାହ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଘୋଷଣା କରିଛନ୍ତି । ୧୩୫ ମୋଟର ସାଇକେଲ, ୧୬୦ ଡେସ୍କଟପ/ଲ୍ୟାପଟପ ବି ଯୋଗାଇ ଦିଆଯିବ ।
ମୁଖ୍ୟମନ୍ତ୍ରୀ ଆଜି ସମ୍ବୋଧନରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋକପାତ କରିଥିଲେ । ନୂଆ ସରକାର ଆସିବା ପରେ ଅନେକ ଅଧିକାରୀଙ୍କୁ ଗିରଫ କରାଯାଇ ଜେଲ ପଠାଇ ଦିଆଯାଇଛି ।
ମହାନୂଭବ ବ୍ୟକ୍ତିଙ୍କ ପାଖରେ ଡଜନରୁ ଅଧିକ ପ୍ଲଟ ଓ ଫ୍ଲାଟ୍ ରହିଛି। ଏସବୁ ସାଧାରଣଲୋକଙ୍କ ଟଙ୍କା, ଯାହା ଏମାନଙ୍କ ପାଖରେ ଥିଲା। ଖାଲି ଏମାନେ ନୁହଁନ୍ତି ଯିଏ ଯିଏ ଦୁର୍ନୀତିରେ ସଂପୃକ୍ତ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ । ୟେ ବାସ୍ ଏବେ ଟ୍ରେଲର୍, ପିକଚର୍ ଅଭି ବାକି ହେ ବୋଲି କହି ଦୁର୍ନୀତିଗସ୍ତଙ୍କୁ ସିଧାସଳଖ ଚେତାଇ ଦେଇଛନ୍ତି ଶ୍ରୀଯୁକ୍ତ ମାଝୀ ।
ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି ଯେ ଅନେକ ଦୁର୍ନୀତିଖୋର ଭିଜିଲାନ୍ସ ଜାଲରେ ପଡ଼ନ୍ତିନି । ପୁଲିସ ଡାଳରେ ଗଲା ବେଳେ ଚୋର ପତ୍ରରେ ଯାଏ । ତେଣୁ ଏବେ ସେଭଳି ଅଧିକାରୀଙ୍କ ନିଦ ହଜାଇ ଦେବାକୁ ହେବ । ପ୍ରତି ମୁହୂର୍ତ୍ତରେ ସେମାନଙ୍କୁ ଗିରଫଦାରୀ ଭୟ ରହିବାକୁ ହେବ । ଏପରିକି, ସେମାନେ ବାଥରୁମରେ ଥିବା ବେଳେ, ଘରେ ରହୁଥିବା ବେଳେ ଗିରଫଦାରୀର ଭୟ ରହିବା ଜରୁରୀ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।