ହେଉନି ବର୍ଷା, କମୁନି ଖରା । ତେଣୁ, ଏବେ ଖୋଲିବନି ସ୍କୁଲ୍ ଓ ଅଙ୍ଗନୱାଡ଼ି । ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଲାଗି ରହିଥିବା ବେଳେ ବିଦ୍ୟାଳୟ ଖୋଲିବା ନେଇ ବଡ଼ ନିଷ୍ପତ୍ତି ନିଆଯାଇଛି । ଗ୍ରୀଷ୍ମ ପ୍ରବାହ ସହ ଗୁଳୁଗୁଳିକୁ ଦୃଷ୍ଟିରେ ଚଳିତ ସପ୍ତାହ ପର୍ଯ୍ୟନ୍ତ ସ୍କୁଲ୍ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛି ପ୍ରଶାସନ ।
ସୁବର୍ଣ୍ଣପୁର ଜିଲ୍ଲାରେ ସ୍କୁଲ୍ ଖରା ଛୁଟି ଅବଧିକୁ ବୃଦ୍ଧି କରିଛି ଜିଲ୍ଲା ପ୍ରଶାସନ । ଜିଲ୍ଲାପାଳ ନୃପରାଜ ସାହୁ କହିଛନ୍ତି, “ଏବେ ଜିଲ୍ଲାରେ ପ୍ରଖର ଖରା ହେଉଛି, ବର୍ଷା ଆସି ନାହିଁ । ଗ୍ରୀଷ୍ମର ଅଧିକ ପ୍ରଭାବ ରହିଥିବାରୁ ୨୦ ତାରିଖ ପର୍ଯ୍ୟନ୍ତ ସ୍କୁଲ୍ ଗୁଡ଼ିକ ବନ୍ଦ ରହିବ । ୨୨ରୁ ସ୍କୁଲ୍ ଖୋଲିବାକୁ ନିର୍ଦ୍ଦେଶ ଦିଆଯାଇଛି ।”
ରାଜ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପ୍ରବେଶ କରିଥିବା ବେଳେ ଜୁନ୍ ୧୬ ତାରିଖ ସୁଦ୍ଧା ସୁବର୍ଣ୍ଣପୁର ଜିଲ୍ଲାକୁ ମୌସୁମୀ ଛୁଇଁ ନାହିଁ । ଫଳରେ ଜିଲ୍ଲାରେ ଗରମ ସହ ଗୁଳୁଗୁଳି ଲାଗି ରହିଛି । ଯାହାକୁ ନେଇ ଜିଲ୍ଲା ପ୍ରଶାସନ ସ୍କୁଲ୍ ଛୁଟି ବଢ଼ାଇ ଦେଇଛନ୍ତି ।
ସୁବର୍ଣ୍ଣପୁର ଜିଲ୍ଲାରେ ସ୍କୁଲ, କଲେଜ, ଅଙ୍ଗନୱାଡ଼ି ସମେତ ସମସ୍ତ ଶିକ୍ଷାନୁଷ୍ଠାନକୁ ୨୦ ତାରିଖ ପର୍ଯ୍ୟନ୍ତ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ । ଏହି ସମୟରେ ପୂର୍ବ ନିର୍ଦ୍ଧାରିତ ସୂଚୀ ଅନୁଯାୟୀ ପରୀକ୍ଷା ଆୟୋଜନ କରାଯାଇ ପାରିବ । ତେବେ ପରୀକ୍ଷା ସକାଳ ସମୟରେ ଖରା ପୂର୍ବରୁ ହେବ ।
ଏଥିସହ ପରୀକ୍ଷା ସମୟରେ ସ୍କୁଲ୍ କର୍ତ୍ତୃପକ୍ଷ ଖରାରୁ ରକ୍ଷା ପାଇବା ପାଇଁ ପର୍ଯ୍ୟାପ୍ତ ପଦକ୍ଷେପ ନେବେ । ଶିକ୍ଷାନୁଷ୍ଠାନରେ ପାନୀୟ ଜଳ ସହ ଅନ୍ୟ ବ୍ୟବସ୍ଥା କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ଏନେଇ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ସହ ଅନ୍ୟମାନଙ୍କୁ ନିର୍ଦ୍ଦେଶନାମା ଜାରି କରିଛନ୍ତି ଜିଲ୍ଲାପାଳ ।
ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଅନୁସାରେ, ଆସନ୍ତାକାଲି ୧୮ ତାରିଖରେ ସମସ୍ତ ଖୁଲ୍ ଖୋଲିବ । ଏନେଇ ପୂର୍ବରୁ ସୂଚନା ଦେଇଥିଲେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ମନ୍ତ୍ରୀ କହିଥିଲେ, ଖରାର ପ୍ରକୋପ ବଢ଼ିଲେ ଛୁଟି ଅବଧି ବୃଦ୍ଧି ନେଇ ବିଚାର କରାଯିବ । ଏବେ ଖରାକୁ ଦେଖି ସୁବର୍ଣ୍ଣପୁର ଜିଲ୍ଲାପାଳ ସ୍କୁଲ୍ ଛୁଟି ବଢ଼ାଇଛନ୍ତି ।
ଆଗୁଆ ଘୋଷଣା ହୋଇଥିଲା ଖରାଛୁଟି
ଏପ୍ରିଲ ୨୭ରୁ ବନ୍ଦ ରହିଥିଲା ରାଜ୍ୟର ସମସ୍ତ ସ୍କୁଲ । ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଆଗୁଆ ଖରାଛୁଟି ଘୋଷଣା ହୋଇଥିଲା । ପିଲାମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେଇଥିଲେ । ରାଜ୍ୟର ସମସ୍ତ ଅଙ୍ଗନବାଡିଠାରୁ ଆରମ୍ଭ କରି ଯୁକ୍ତ ଦୁଇ ପର୍ଯ୍ୟନ୍ତ ସମସ୍ତ ସରକାରୀ, ବେସରକାରୀ ସ୍କୁଲ ଓ କଲେଜ ବନ୍ଦ ରହିଥିଲା । ଏପରିକି ଯଦି ଏ ସମୟରେ କୌଣସି ଶିକ୍ଷାନୁଷ୍ଠାନ ଖୋଲା ରଖାଯାଏ ତେବେ ସେ ନେଇ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମନ୍ତ୍ରୀ ଚେତାବନୀ ଦେଇଥିଲେ ।
