ସଂଚାର ବ୍ୟୁରୋ: ନୂଆଦିଲ୍ଲୀରେ ଆୟୋଜିତ ଆଇଡିଏସପିର ୨୦ ବର୍ଷିଆ ସ୍ମାରକୀ କାର୍ଯ୍ୟକ୍ରମରେ ଜନସ୍ୱାସ୍ଥ୍ୟ ନିରୀକ୍ଷଣ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ରାଜ୍ୟ ନିରୀକ୍ଷଣ ୟୁନିଟକୁ ସମ୍ବର୍ଦ୍ଧିତ କରାଯାଇଛି। ଏହି ସ୍ୱୀକୃତି ଓଡିଶାର ଜନସ୍ୱାସ୍ଥ୍ୟର ସୁରକ୍ଷା ପାଇଁ ରାଜ୍ୟ ନିରୀକ୍ଷଣ ୟୁନିଟର ଉତ୍ସର୍ଗିକୃତ ସେବା ମନୋଭାବ ଏବଂ ପ୍ରତିବଦ୍ଧତାକୁ ପ୍ରମାଣିତ କରୁଛି। ଓଡିଶା ସରକାରଙ୍କ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଅତିରିକ୍ତ ନିର୍ଦ୍ଦେଶକ, ଜନସ୍ୱାସ୍ଥ୍ୟ ଡ଼ ପ୍ରମିଳା ବରାଳ ଏବଂ ଯୁଗ୍ମ-ନିର୍ଦ୍ଦେଶକ-ତଥା-ଏସଏସଓ ଆଇଡିଏସପି ଡ଼ ଅଶୋକ କୁମାର ପାଇକରାୟ ଦିଲ୍ଲୀଠାରେ କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନଙ୍କଠାରୁ ଏହି ସମ୍ମାନ ଗ୍ରହଣ କରିଛନ୍ତି।
ବିପର୍ଯ୍ୟୟ, ବନ୍ୟା, ବାତ୍ୟା ସମୟରେ ରାଜ୍ୟ ନିରୀକ୍ଷଣ ୟୁନିଟ ୨୪ ଘଣ୍ଟିଆ କାର୍ଯ୍ୟକରି ବିଭିନ୍ନ ରୋଗକୁ ଠିକ୍ ସମୟରେ ଚିହ୍ନଟ କରିବା ସହ ସେଗୁଡିକର ମୁକାବିଲା ସୁନିଶ୍ଚିତ କରିଥାଏ। କଣ୍ଟ୍ରୋଲ ରୁମ୍ ଗୁଡିକ ରୋଗର ଧାରା ଉପରେ ତୀକ୍ଷ୍ଣ ନଜର ରଖିବା ସହ ପ୍ରାପ୍ତ ତଥ୍ୟର ବିଶ୍ଳେଷଣ ଏବଂ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀଙ୍କ ସହ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରୁଛି।
ଏହି ସକ୍ରିୟ ଆଭିମୁଖ୍ୟ ଜନସ୍ୱାସ୍ଥ୍ୟକୁ ସୁରକ୍ଷିତ ରଖିବା ସହିତ ଅନେକ ମହାମାରୀର ପ୍ରାରମ୍ଭିକ ଚିହ୍ନଟ ଏବଂ ନିୟନ୍ତ୍ରଣ କରିବାରେ ରାଜ୍ୟ ନିରୀକ୍ଷଣ ୟୁନିଟ ସକ୍ଷମ ହୋଇପାରିଛି। ରାଜ୍ୟ ନିରୀକ୍ଷଣ ୟୁନିଟ ଦ୍ୱାରା ଯଥା ସମୟରେ ରୋଗ ନିରୀକ୍ଷଣ ପାଇଁ ସମନ୍ୱିତ ସ୍ୱାସ୍ଥ୍ୟ ସୂଚନା ପ୍ଲାଟଫର୍ମ (ଆଇଏଚ୍ଆଇପି)ର ସଫଳ ରୂପାୟନ କରାଯାଇ ନିୟମିତ ତଦାରଖ କରାଯାଉଛି।