ଭୁବନେଶ୍ବର: ଓଡିଶାର ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି ଭାବେ ନିଯୁକ୍ତ ହୋଇଛନ୍ତି ଜଷ୍ଟିସ୍ ହରିଶ ଟଣ୍ଡନ । ଜଷ୍ଟିସ୍ ଟଣ୍ଡନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି କରିଛନ୍ତି। କେନ୍ଦ୍ରସରକାରଙ୍କ ମଞ୍ଜୁରୀ ନେଇ ଆଇନ ମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଥିବା ବେଳେ ଆଇନ ଓ ନ୍ୟାୟ ରାଷ୍ଟ୍ରମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ଏନେଇ ଟ୍ବିଟ୍ କରି ଅବଗତ କରାଇଛନ୍ତି। ବର୍ତ୍ତମାନ କଲିକତା ହାଇକୋର୍ଟର ବିଚାରପତି ଭାବେ କାର୍ଯ୍ୟରତ ଜଷ୍ଟିସ୍ ଟଣ୍ଡନ୍ ।
ତେବେ ଗତ ମାର୍ଚ୍ଚ ୬ରେ ସୁପ୍ରିମକୋର୍ଟ କଲେଜିୟମ୍ କଲିକତା ହାଇକୋର୍ଟର ବିଚାରପତିଙ୍କୁ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବରେ ନିଯୁକ୍ତି ପାଇଁ ସୁପାରିଶ କରିଥିଲେ । ଗତ ଜାନୁଆରୀ ୧୯ରେ ମୁଖ୍ୟ ବିଚାରପତି ଚକ୍ରଧାରୀ ଶରଣ ସିଂହଙ୍କ ଅବସର ପରେ ଏହି ସୁପାରିଶ କରାଯାଇଥିଲା । ଆଉ ବର୍ତ୍ତାମାନ ଓଡ଼ିଶା ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଭାବରେ କାର୍ଯ୍ୟରତ ଜଷ୍ଟିସ୍ ଅରିନ୍ଦମ ସିହ୍ନାଙ୍କୁ ଗତକାଲି କଲେଜିୟମ୍ ଦ୍ୱାରା ଆହ୍ଲାବାଦ ହାଇକୋର୍ଟକୁ ସ୍ଥାନାନ୍ତର ପାଇଁ ସୁପାରିଶ କରାଯାଇଥିବା ବେଳେ ଆଜି ଜଷ୍ଟିସ୍ ଟଣ୍ଡନଙ୍କୁ ରାଜ୍ୟ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ନିଯୁକ୍ତ କରାଯାଇଛି ।