ଭୁବନେଶ୍ୱର : ରାଜ୍ୟରେ ତାତି ସାଙ୍ଗକୁ ଗୁଳୁଗୁଳି ଜାରି ରହିଛି। ପଶ୍ଚିମ ଓଡ଼ିଶାରେ ଲଗାତାର ୩ ଦିନ ହେବ ଅସମ୍ଭାଳ ତାତି ଜାରି ରହିଥିବା ବେଳେ ଗୁରୁବାର ପୁଣି ଝାରସୁଗୁଡ଼ାରେ ତାପମାତ୍ରା ୪୫ ଡିଗ୍ରୀ ଅତିକ୍ରମ କରିଛି। ଗତକାଲି ତାପମାତ୍ରା ୪୫.୨ ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ଝାରସୁଗୁଡ଼ା ପୁଣି ରାଜ୍ୟର ସବୁଠୁ ଉତ୍ତପ୍ତ ସହର ସାଜିଛି। ସେହିପରି ୪୪.୬ ଡିଗ୍ରୀ ସହ ବୌଦ୍ଧ ରାଜ୍ୟର ଦ୍ୱିତୀୟ ଉତ୍ତପ୍ତ ସହର ସାଜିଥିବା ବେଳେ ସୁନ୍ଦରଗଡ଼ ୪୩.୬, ଅନୁଗୁଳ ୪୩.୫ ଓ ଟିଟିଲାଗଡ଼ରେ ତାପମାତ୍ରା ୪୩ ଡିଗ୍ରୀ ରେକର୍ଡ କରାଯାଇଛି। ଏହି ସହରଗୁଡ଼ିକ ସମେତ ଗୁରୁବାର ରାଜ୍ୟର ମୋଟ ୧୬ଟି ସହରରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରେକର୍ଡ ହୋଇଥିବା ବେଳେ ୮ଟି ସହରରେ ତାପମାତ୍ରା ୪୩ ଡିଗ୍ରୀ ଉପରେ ରେକର୍ଡ ହୋଇଛି।
ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ, ୨୬ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଏଭଳି ସ୍ଥିତି ଜାରି ରହିବ। ଉପକୂଳରେ ତାତି ସାଙ୍ଗକୁ ଗୁଳୁଗୁଳି ସହ ପଶ୍ଚିମ ଓଡ଼ିଶାରେ ଭୀଷଣ ଗ୍ରୀଷ୍ମ ପ୍ରବାହ ସ୍ଥିତି ଉତ୍ପନ୍ନ ହେବ। ଶୁକ୍ରବାର ବଲାଙ୍ଗିର ଓ ସମ୍ବଲପୁର ରାଜ୍ୟର ସବୁଠୁ ଅଧିକ ଉତ୍ତପ୍ତ ରହିବାର ଆଶଙ୍କା ରହିଛି। ଏହାକୁ ଦୃଷ୍ଟିରେ ରଖି ପାଣିପାଗ କେନ୍ଦ୍ର ଏହି ଦୁଇ ଜିଲ୍ଲା ପାଇଁ ଅରେଞ୍ଜ ଆଲର୍ଟ ଜାରି କରିଛି। ସେହିପରି ସୋନପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼, ବୌଦ୍ଧ, ନୂଆପଡ଼ା ଓ ବରଗଡ଼ ଜିଲ୍ଲାରେ ଗ୍ରୀଷ୍ମ ଲହରୀ ସ୍ଥିତି ସହ ଉପକୂଳବର୍ତ୍ତୀ ଜିଲ୍ଲା ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ ଓ ଗଜପତିରେ ଆର୍ଦ୍ର ଓ ଉଷ୍ମ ପାଣିପାଗ ସ୍ଥିତି ସୃଷ୍ଟି ହେବାର ଆଶଙ୍କା ରହିଛି।
ଅନ୍ୟପଟେ ୨୬ ତାରିଖଠାରୁ ଗୋଟିଏ ପଶ୍ଚିମା ଝଡ଼ ସକ୍ରିୟ ହେବାର ସମ୍ଭାବନା ଥିବାରୁ ରାଜ୍ୟରେ କାଳବୈଶାଖୀ ଜନିତ ବର୍ଷା ବୃଦ୍ଧି ପାଇବ। ୨୭ ତାରିଖରୁ ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ଆରମ୍ଭ ହୋଇ ପ୍ରାୟ ୪-୫ ଦିନ ପର୍ଯ୍ୟନ୍ତ ଏହାର ପ୍ରଭାବ ଜାରି ରହିବ। ଏହାଦ୍ୱାରା ରାଜ୍ୟରେ ଜାରି ରହିଥିବା ତାତି ଓ ଗୁଳୁଗୁଳିରୁ ରାଜ୍ୟବାସୀଙ୍କୁ ମୁକ୍ତି ମିଳିବ। ତେବେ ଆହୁରି ୨ଦିନ ପର୍ଯ୍ୟନ୍ତ ତାତି ଓ ଗୁଳୁଗୁଳି ଲାଗି ରହିବାକୁ ଥିବାରୁ ସତର୍କତା ଅବଲମ୍ବନ ପାଇଁ ପାଣିପାଗ କେନ୍ଦ୍ର ପରାମର୍ଶ ଦେଇଛି। ବିଶେଷକରି ଦିନ ୧୧ଟାରୁ ଅପରାହ୍ଣ ୩ଟା ମଧ୍ୟରେ ଖରାର ପ୍ରଭାବ ସବୁଠୁ ଅଧିକ ରହୁଥିବାରୁ ଏହି ସମୟରେ ଜରୁରୀ ନ ଥିଲେ ଘରୁ ନ ବାହାରିବା ପାଇଁ ପରାମର୍ଶ ଦିଆଯାଇଛି।