କୁହୁଡି ଯୋଗୁ ବିଭିନ୍ନ ସମୟରେ ଦୁର୍ଘଟଣା ହେଉଛି । ତେବେ ପ୍ରବଳ କୁହୁଡ଼ିରେ ଆପଣ ଗାଡ଼ି ଚଲାଉଛନ୍ତି କି ? ଏହି ସମୟରେ ନିରାପଦ ଗାଡ଼ି ଚଳାଇବା ସହ ଦୁର୍ଘଟଣାରୁ ବଞ୍ଚିବା ପାଇଁ କିଛି ନିୟମ ମାନନ୍ତୁ । ପ୍ରବଳ କୁହୁଡି ସମୟରେ ଧୈର୍ଯ୍ୟ ଓ ସତର୍କତା ଅତ୍ୟନ୍ତ ଜରୁରୀ । ଗାଡ଼ିର ବେଗ କମାନ୍ତୁ । ସାଧାରଣ ସୀମାଠାରୁ ବେଗ କମ୍ ରଖନ୍ତୁ, ଯାହାଫଳରେ ଆବଶ୍ୟକ ପଡ଼ିଲେ ଆପଣ ତୁରନ୍ତ ବ୍ରେକ୍ ମାରିପାରିବେ । Low-Beam ଏବଂ ଫଗ୍ ଲାଇଟ୍ ବ୍ୟବହାର କରନ୍ତୁ । ଦିନରେ ବି ଏହି ଲାଇଟ୍ ଜଳାନ୍ତୁ । ଏହା ଦ୍ୱାରା ରାସ୍ତା ଦେଖାଯିବା ସହ ଅନ୍ୟମାନେ ମଧ୍ୟ ଆପଣଙ୍କ ଗାଡ଼ିକୁ ଦେଖିପାରିବେ । ଦୂରତା ବଜାୟ ରଖନ୍ତୁ ।
ଆଗରେ ଯାଉଥିବା ଗାଡ଼ିଠାରୁ ସାଧାରଣ ଅପେକ୍ଷା ଅଧିକ ଦୂରତା ରଖନ୍ତୁ । ରାସ୍ତା ଧାର ଉପରେ ନଜର ରଖନ୍ତୁ । ନିଜ ଲେନ୍ ରେ ରହିବା ପାଇଁ ରାସ୍ତାର ଧାରରେ ଥିବା ଧଳା ଗାର କିମ୍ବା ରିଫ୍ଲେକ୍ଟରକୁ ଦେଖି ଗାଡ଼ି ଚଲାନ୍ତୁ । ୱାଇପର ଓ ଡିଫ୍ରଷ୍ଟର ବ୍ୟବହାର କରନ୍ତୁ । କାଚକୁ ସଫା ରଖନ୍ତୁ ଏବଂ କୁହୁଡ଼ି ଅଧିକ ଥିଲେ ଗାଡ଼ି କାଚ ସାମାନ୍ୟ ଖୋଲି ବାହାରର ଶବ୍ଦ ଶୁଣିବାକୁ ଚେଷ୍ଟା କରନ୍ତୁ । ଅଧିକ କୁହୁଡ଼ି ହେଲେ ଗାଡ଼ି ରଖିଦିଅନ୍ତୁ । ଯଦି କିଛି ଦେଖାଯାଉ ନାହିଁ, ତେବେ ରାସ୍ତା କଡ଼ରେ ନିରାପଦ ସ୍ଥାନରେ ଗାଡ଼ି ରଖି ହାଜାର୍ଡ ଲାଇଟ୍ ଜଳାଇ ଅପେକ୍ଷା କରନ୍ତୁ ।
ତେବେ କ’ଣ କରିବେ ନାହିଁ? High-Beam ବ୍ୟବହାର କରନ୍ତୁ ନାହିଁ । ହାଇ-ବିମ୍ ଲାଇଟ୍ କୁହୁଡ଼ିରେ ପ୍ରତିଫଳିତ ହୋଇ ଆଖିକୁ ଝଲସାଇ ଦିଏ, ଯାହାଫଳରେ ଆଦୌ ଦେଖାଯାଏ ନାହିଁ । ହଠାତ୍ ଓଭରଟେକ୍ କରନ୍ତୁ ନାହିଁ । କମ୍ ଆଲୁଅରେ ହଠାତ୍ ଲେନ୍ ବଦଳାଇବା ବିପଜ୍ଜନକ । ମଝି ରାସ୍ତାରେ ଗାଡ଼ି ରଖନ୍ତୁ ନାହିଁ । ଯଦି ଗାଡ଼ି ରଖିବାକୁ ଚାହୁଁଛନ୍ତି, ତେବେ ପୂରା ରାସ୍ତା ବାହାରକୁ ନେଇ ରଖନ୍ତୁ । ଗାଡ଼ି ଚଲାଇବା ବେଳେ ମ୍ୟୁଜିକ୍ ବଜାନ୍ତୁ ନାହିଁ କିମ୍ବା ଫୋନ୍ ରେ କଥା ହୁଅନ୍ତୁ ନାହିଁ ।

