ଓଡ଼ିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି ଅବସରରେ ସେ ପୁରୀ, କଟକ ଓ ଭଦ୍ରକର ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହେବେ । ବିହାର ନିର୍ବାଚନର ବିନ୍ଧାଣୀ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ବିମାନବନ୍ଦରରେ ଭବ୍ୟ ସ୍ଵାଗତ କରାଯିବ । ବିମାନ ବନ୍ଦରରେ ସମ୍ବର୍ଦ୍ଧନା ପରେ ପରେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବେ । ସନ୍ଧ୍ୟାରେ କଟକରେ ଚଣ୍ଡୀ ମନ୍ଦିର ଦର୍ଶନ ସହ ଉତ୍କଳ କେଶରୀ ହରେକୃଷ୍ଣ ମହତାବଙ୍କ ୧୨୬ତମ ଜୟନ୍ତୀରେ ଯୋଗଦେବେ । ଆସନ୍ତାକାଲି ଭଦ୍ରକରେ ସର୍ଦ୍ଦାର ପଟେଲଙ୍କ ୧୫୦ତମ ଜୟନ୍ତୀ ଅବସରରେ ଆୟୋଜିତ ଗଣଦୌଡରେ ସାମିଲ ହେବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ବିହାରରେ NDAର ସଫଳତା ପଛରେ ପିଏମ୍ ମୋଦିଙ୍କ ନେତୃତ୍ଵ ସହ ରହିଛି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବଡ଼ ଭୂମିକା । ବିଜେପି ପ୍ରଭାରୀ ଭାବେ ଧର୍ମେନ୍ଦ୍ର ପ୍ରଧାନଙ୍କ ଶାଣିତ ରଣନୀତି, ବ୍ୟାପକ ଅଭିଜ୍ଞତା ଓ ସମନ୍ଵୟ ରକ୍ଷା କରିବାର କଳା ବିହାରରେ NDAକୁ ମିଳିଛି ଡବଲ୍ ସେଞ୍ଚୁରୀ । ଜାତି ଗଣିତରୁ ନେଇ ସଂଗଠନ ପରିଚାଳନା ପୁଣି ମେଣ୍ଟ ଦଳଙ୍କୁ ସାଥୀରେ ନେଇ ଚାଲିବା, ନିଜ ଦକ୍ଷତା ବଳରେ ସବୁ ଚ୍ୟାଲେଞ୍ଜର ଧର୍ମେନ୍ଦ୍ର ସଫଳ ମୁକାବିଲା କରିଥିଲେ ।
କିଛିଦିନ ପୂର୍ବରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, “NDAର ବିଶ୍ଵସନୀୟତା ରହିଛି । ବିହାରରେ ପ୍ରାୟ ୩୦ ବର୍ଷ ହେଲା NDA ରହିଛି । ବିଗତ ୨୦ ବର୍ଷ ହେଲା ନୀତୀଶ କୁମାର ବିହାର ମୁଖ୍ୟମନ୍ତ୍ରୀ ଅଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମୟରେ ଯେତିକି ଯୋଜନା ହୋଇଛି, ସେଥିରେ ପୂର୍ବ ଭାରତୀୟ ରାଜ୍ୟରେ ସର୍ବାଧିକ ଲାଭ ପାଇଛି ବିହାର । ଓଡ଼ିଶା, ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ ମଧ୍ୟ ଲାଭାନ୍ଵିତ ହୋଇଛନ୍ତି ।”
ସେ ଆହୁରି କହିଛନ୍ତି, “ଚଳିତ ନିର୍ବାଚନରେ ୨ ବ୍ୟକ୍ତିଙ୍କ ବିଶ୍ଵସନୀୟତା ହେଉଛି ମୁଖ୍ୟ । ନିର୍ବାଚନରେ ପ୍ରତିଦ୍ଵନ୍ଦ୍ଵୀ ରହିବେ । କାମ ଓ ନୂତନ ଆକାଂକ୍ଷା ଅନୁସାରେ ଲୋକେ ସମର୍ଥନ କରନ୍ତି । ବିହାର ଏମିତି ଏକ ରାଜ୍ୟ ଯାହା ସମୟ ସହ ଆଗକୁ ବଢ଼ୁଛି । ବିହାରକୁ ଭରସା ଦରକାର । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ବିଶ୍ଵସନୀୟ ଚେହେରା, ଯାହାଙ୍କୁ ବିହାର ବିଶ୍ଵାସ ଓ ଭରସା କରୁଛି । ମୋ ଭଳି ରାଜନେତା ଏଥିରେ ସହଯୋଗ କରିବା ଦ୍ଵାରା ଆମକୁ ନୂଆ ଅଭିଜ୍ଞତା ସହ ଅନେକ କିଛି ଶିଖିବାକୁ ମିଳୁଛି ।”

