ପଶ୍ଚିମବଙ୍ଗ ଓ ଆସାମରେ ବିଧାନସଭା ନିର୍ବାଚନ ତାତି ଓଡ଼ିଶାରେ ପହଞ୍ଚିଛି। ମୁଖ୍ୟତଃ ପଶ୍ଚିମବଙ୍ଗକୁ ଓଡ଼ିଶା ବିଜେପି ନେତାଙ୍କ ସୁଅ ଛୁଟିବା ଆରମ୍ଭ ହୋଇଗଲାଣି। ମାସେ ତଳୁ ଛାମୁଆ ସଂଗଠନ ତଥା ଜିଲାସ୍ତରୀୟ ନେତା/କର୍ମୀମାନେ ସେଠାରେ ଡେରା ପକାଇବା ଆରମ୍ଭ କରିଥିବାବେଳେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ତାଙ୍କ ମନ୍ତ୍ରୀମଣ୍ଡଳ ସଦସ୍ୟମାନେ ପଶ୍ଚିମବଙ୍ଗ ଗସ୍ତ କରି ନିର୍ବାଚନ ପ୍ରଚାର କରୁଛନ୍ତି। ଆଗକୁ ଓଡ଼ିଶା ବିଜେପି ନେତାଙ୍କୁ ନେଇ ଏକ ପ୍ରଚାର ତାଲିକା ବାହାରିବ।
ଦୀର୍ଘ ୨୪ ବର୍ଷର ବିଜେଡି ଶାସନର ଅନ୍ତ ଘଟାଇ ଏକାକୀ କ୍ଷମତାକୁ ଆସିଥିବା ବିଜେପିର କେବଳ ଓଡ଼ିଶା ନୁହେଁ, ଦିଲ୍ଲୀ ଦରବାରରେ ମଧ୍ୟ ଗୁରୁତ୍ବ ବଢ଼ିଛି। ଡବଲ ଇଞ୍ଜିନ ସରକାରଙ୍କ ସଫଳତାକୁ ଓଡ଼ିଶାର ସୀମା ଅପରପାର୍ଶ୍ବକୁ ନେବା ପାଇଁ କେନ୍ଦ୍ରୀୟ ବିଜେପି ନେତା କୌଣସି ସୁଯୋଗ ହାତ ଛଡ଼ା କରିବାକୁ ଚାହୁଁ ନାହାନ୍ତି। ବିଶେଷକରି ଓଡ଼ିଶା ଭଳି ପଶ୍ଚିମବଙ୍ଗରେ ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ ଶାସନର ଅନ୍ତ ଘଟାଇବା ପାଇଁ ବିଜେପି ନିର୍ବାଚନର ଯଥେଷ୍ଟ ପୂର୍ବରୁ ବଳ ଖଟାଇବା ଆରମ୍ଭ କରି ଦେଇଛି। ପଡ଼ୋଶୀ ପଶ୍ଚିମବଙ୍ଗରେ ବହୁସଂଖ୍ୟକ ଓଡ଼ିଆ ଭୋଟର ବସବାସ କରୁଥିବାବେଳେ ଦୁଇରାଜ୍ୟ ମଧ୍ୟରେ ସମ୍ପର୍କ ବେଶ୍ ପୁରାତନ। ତେଣୁ ସେଠାରେ ଓଡ଼ିଶା ବିଜେପି ନେତାଙ୍କ ପ୍ରଚାର କାମ ଦେବ ବୋଲି ପାର୍ଟିର କେନ୍ଦ୍ରୀୟ ନେତୃତ୍ବ ବିଶ୍ବାସ ରଖିଛନ୍ତି। ଓଡ଼ିଶା ବିଜେପିର ନେତା ଦୁଇମାସ ତଳୁ ପଶ୍ଚିମବଙ୍ଗ ଗସ୍ତ ଆରମ୍ଭ କରି ଦେଇଛନ୍ତି। ଅନେକ ନେତା ଓ କର୍ମୀ ସେଠାରେ ଆସ୍ଥାନ ଜମାଇ ନିର୍ବାଚନ ପ୍ରଚାର କାମରେ ଲାଗିଛନ୍ତି।
ଓଡ଼ିଶା ବିଜେପି ନେତାଙ୍କୁ ସେଠାରେ ନିର୍ବାଚନମଣ୍ଡଳୀୱାରୀ ଦାୟିତ୍ବ ବଣ୍ଟାଯାଇଛି। ନିର୍ବାଚନ ପାଖେଇ ଆସୁଥିବାରୁ ଉପରସ୍ତରର ନେତାମାନେ ମଧ୍ୟ ସେଠାକୁ ଯିବା ଆରମ୍ଭ କରିଛନ୍ତି। ଗତ ୧୦ ତାରିଖରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ପଶ୍ଚିମବଙ୍ଗର ମେଦିନୀପୁର ମୋୟନା ନିର୍ବାଚନମଣ୍ଡଳୀରେ ଆୟୋଜିତ ପରିବର୍ତ୍ତନ ଯାତ୍ରା ସମାବେଶ ଓ ଜନସଭାରେ ଯୋଗ ଦେଇଥିଲେ। ସେହିପରି ତାଙ୍କ ମନ୍ତ୍ରୀମଣ୍ଡଳର ଏକାଧିକ ସଦସ୍ୟ ସେଠାରେ ପ୍ରଚାର କରି ଫେରିଛନ୍ତି। ପଶ୍ଚିମବଙ୍ଗରେ ନିର୍ବାଚନକୁ ଲକ୍ଷ୍ୟରେ ରଖି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ବରେ ଓଡ଼ିଶାର ସାଂସଦଗଣ ଖଡ଼ଗପୁର ନ୍ୟୁ ସେଟେଲମେଣ୍ଟ ଅଞ୍ଚଳରେ ଥିବା ପ୍ରାୟ ୫୯୧୫ ବର୍ଗ ମିଟର ରେଳ ଜମିକୁ ରେଲୱେ ଏମ୍ପ୍ଲଇଜ୍ କଲ୍ଚରାଲ ଆସୋସିଏସନ ନାମରେ ନିୟମିତ କରିବା ପାଇଁ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କୁ ଭେଟିଛନ୍ତି।
ଅପରପକ୍ଷେ ଆସାମରେ ଶାସନ ଡୋରୀ ନିଜ ଦଖଲରେ ରଖିବା ପାଇଁ ବିଜେପି ଜୋରଦାର ନିର୍ବାଚନ ପ୍ରଚାର ଚଳାଇଛି। କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ଆସାମ ନିର୍ବାଚନ ପ୍ରଭାରୀ ନିଯୁକ୍ତ କରାଯାଇଛି। ସେ ତାଙ୍କ ଟିମ୍ ସହିତ ସେଠାରେ ରାଜନୈତିକ ଗୋଟିଚାଳନା କରୁଛନ୍ତି। ସେହିପରି ରାଜ୍ୟସଭା ସାଂସଦ ସୁଜିତ କୁମାରଙ୍କୁ ନିର୍ବାଚନ ସହ-ପ୍ରଭାରୀ ଭାବେ ବିଜେପି ଆସାମ ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ କରିଛି। ଆଗକୁ ଆହୁରି ଓଡ଼ିଶା ବିଜେପି ନେତାଙ୍କୁ ଦୁଇ ରାଜ୍ୟରେ ଦେଖିବାକୁ ମିଳିବ।

