ସଂଚାର ବ୍ୟୁରୋ: ପୁଣି ବିଦେଶରେ ଓଡ଼ିଆ ପୁଅଙ୍କ କମାଲ । କିଲିମଞ୍ଜାରୋ ଶିଖରରେ ଓଡ଼ିଆ ପୁଅ ପର୍ଶୁରାମ ପଣ୍ଡା ।ଓଡ଼ିଶାର ପର୍ଶୁରାମ ପଣ୍ଡା ଆଫ୍ରିକା ମହାଦେଶର ସର୍ବୋଚ୍ଚ ପର୍ବତ କିଲିମଞ୍ଜାରୋ ଶିଖରରେ ପହଞ୍ଚି ରାଜ୍ୟକୁ ଗୌରବାନ୍ୱିତ କରିଛନ୍ତି । ସେ ଗତ ଜୁଲାଇ ୧୬ ତାରିଖରେ ଶିଖରରେ ପହଞ୍ଚି ତ୍ରିରଙ୍ଗା ପତାକା ଉଡ଼ାଇଥିଲେ । ଏବେ ପର୍ଶୁରାମଙ୍କ ବୟସ ୬୨ ବର୍ଷ । ଏହି ବୟସରେ ସେ କିଲିମଞ୍ଜାରୋ ଶିଖରରେ ପହଞ୍ଚି ଉଦାହରଣ ସୃଷ୍ଟି କରିଛନ୍ତି ।ପର୍ଶୁରାମ ଦୀର୍ଘ ୩୫ବର୍ଷ ଧରି ବ୍ୟାଙ୍କିଂ ସେବା ପ୍ରଦାନ କରିବା ପରେ ବ୍ୟାଙ୍କ ଅଫ୍ ଇଣ୍ଡିଆରେ ମହାପ୍ରବନ୍ଧକ ଏବଂ ସେଣ୍ଟ୍ରାଲ ବ୍ୟାଙ୍କ ଅଫ୍ ଇଣ୍ଡିଆର ମୁଖ୍ୟ ସତର୍କତା ଅଧିକାରୀ (ସିଭିଓ) ପଦବୀରୁ ୨୦୨୨ରେ ଅବସର ନେଇଥିଲେ । ଏହାପରେ ସେ ପର୍ବତାରୋହଣ, ସାଇକ୍ଲିଂ ଏବଂ ମାରାଥନ ଭଳି ଦୁଃସାହସିକ କ୍ରୀଡ଼ାରେ ଭାଗ ନେବା ଆରମ୍ଭ କରିଥିଲେ । ଗତ ଜୁଲାଇ ୧୧ ତାରିଖରେ ୯ ଜଣିଆ ଭାରତୀୟ ଦଳ କିଲିମଞ୍ଜାରୋ ଆରୋହଣରେ ବାହାରିଥିଲେ । ଏଥିରେ ପର୍ଶୁରାମ ସବୁଠୁ ବୟୋଜ୍ୟେଷ୍ଠ ପର୍ବତାରୋହୀ ଥିଲେ । ତାଞ୍ଜାନିଆ ସରକାରଙ୍କ ସ୍ୱୀକୃତିପ୍ରାପ୍ତ ସଂସ୍ଥା ଜାଫ୍ ପକ୍ଷରୁ ଏହି ଅଭିଯାନ ପରିଚାଳନା କରାଯାଇଥିଲା । ସୂଚନାଯୋଗ୍ୟ, ପର୍ଶୁରାମ ଗତ ଏପ୍ରିଲ ମାସରେ ଟିଏସ୍ଏଏଫ୍ ପକ୍ଷରୁ ପ୍ରାୟୋଜିତ ଏଭରେଷ୍ଟ ବେସ୍ କ୍ୟାମ୍ପକୁ ସଫଳତାର ସହ ଆରୋହଣ କରିଥିଲେ ।