ସଂଚାର ବ୍ୟୁରୋ: ଦେଶରେ କେନ୍ଦ୍ର ସରକାର ଏବଂ ଅନ୍ୟ ରାଜ୍ୟ ସରକାର ମାନେ ଶିକ୍ଷା ଓ ନିଯୁକ୍ତି କ୍ଷେତ୍ରରେ ୨୭ ପ୍ରତିଶତ ସ୍ଥାନ ସଂରକ୍ଷଣ ବ୍ୟବସ୍ଥା କରିଛନ୍ତି । କିନ୍ତୁ ଓଡ଼ିଶାରେ ବିଜେଡ଼ି ସରକାର ୨୦୧୪ ମସିହାରେ ଚଞ୍ଚକତା କରି ହାଇକୋର୍ଟରେ ଏକ ମିଥ୍ୟା ସତ୍ୟପାଠ ଦେଇ ୧୧.୨୫ ପ୍ରତିଶତକୁ ଖସେଇ ଦେଇଥିଲେ ଏଵଂ ଓବିସି ବର୍ଗଙ୍କୁ ସରକାରଙ୍କ ପାଖରେ ଓବିସି ବର୍ଗଙ୍କ ଉପଯୁକ୍ତ ତଥ୍ୟ ନଥିବା କହି କଥାକୁ ଏଡେଇ ଦେଇଥିଲେ । ୨୫ ବର୍ଷ ଶାସନ କଲା ପରେ ମଧ୍ୟ ନବୀନ ସରକାରଙ୍କ ଆନ୍ତରିକତା ଅଭାବରୁ ଏହି ବ୍ୟବସ୍ଥା ଓଡ଼ିଶାରେ କାର୍ଯ୍ୟକାରୀ ହୋଇପାରିନାହିଁ ଓ ଜାତି ଭିତିକ ଜନଗଣନା ହୋଇପାରିଲା ନାହିଁ । ଫଳ ସୂରୁପ ରାଜ୍ୟର ହଜାର ହଜାର ଓବିସି ଏବଂ ଏସ.ସି.ବିସି ବର୍ଗର ଛାତ୍ରଛାତ୍ରୀ ମାନେ ଉଚ୍ଚ ଶିକ୍ଷା ଓ ନିଯୁକ୍ତି ସୁଯୋଗରୁ ବଞ୍ଚିତ ହେଉଛନ୍ତି । ଦୀର୍ଘଦିନ ହେଲା ପଞ୍ଚାୟତ ଏବଂ ପୌର ନିର୍ବାଚନରେ ପଛୁଆ ବର୍ଗ ପ୍ରାର୍ଥୀ ମାନଙ୍କ ପାଇଁ ୨୭ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା କାର୍ଯ୍ୟକାରି ହୋଇ ଆସୁଥିଲା। କିନ୍ତୁ ୨୦୨୨ ମସିହା ତ୍ରିସ୍ତରୀୟ ପଞ୍ଚାୟତ ଓ ପୌର ନିର୍ବାଚନରେ ବିଜେଡ଼ିର ରାଜ୍ୟ ସରକାର ଜାଣି ଜାଣି ଏହି ବର୍ଗଙ୍କ ସାମ୍ବିଧାନିକ ଅଧିକାରକୁ ସୁରକ୍ଷା କରିଵା ପରିବର୍ତ୍ତେ ମାନ୍ୟବର କୋର୍ଟଙ୍କୁ ଭୁଲ ତଥ୍ୟ ପ୍ରଦାନ କରି ପଛୁଆବର୍ଗଙ୍କ ପ୍ରତି ବିଶ୍ବାସଘାତକତା କଲେ ।
ପଛୁଆବର୍ଗଙ୍କ ସର୍ଭେ ଏକ ପ୍ରହସନ ଚଲେଇ ଲୋକଙ୍କୁ ବିଭ୍ରାନ୍ତ କଲେ। ଏବେବି ସେ ସର୍ଭେ ପରିଣାମ ସମ୍ପର୍କରେ ରାଜ୍ୟବାସୀ ଅନ୍ଧାରରେ ଅଛନ୍ତି । ସମଗ୍ର ଦେଶର ସବୁ ରାଜ୍ୟରେ ଓଡ଼ିଶା ଫାଇନାନ୍ସ ଡେଭଲପମେଣ୍ଟ କୋପରେଟିଭ୍ କର୍ପୋରେସନ ମାଧ୍ୟମରେ ପଛୂଆ ବର୍ଗର ଯୁବକ ଯୁବତୀ ମାନଙ୍କର ଆତ୍ମନିଯୁକ୍ତି ତଥା ଦକ୍ଷତା ପ୍ରଶିକ୍ଷଣ ପ୍ରଦାନ କରିଵାର ପ୍ରାବଧାନ କେନ୍ଦ୍ର ସରକାର କରେଇଥିଲେ ମଧ୍ୟ ୨୦୦୮ ପରଠାରୁ ବିଜେଡି ସରକାର ସମ୍ପୂର୍ଣ୍ଣ ଅଚଳ କରିଦେଇଛନ୍ତି ବୋଲି ଦାବୀରେ ଉଲ୍ଲେଖ ରହିଛି । ପଛୁଆବର୍ଗଙ୍କ ବ୍ୟାପାର ବୁଝିବା ପାଇଁ ଜଣେ ପୂର୍ଣ୍ଣକାଳିନ ଅଧିକାରୀ ସମେତ ଜଣେ ମନ୍ତ୍ରୀଙ୍କୁ ସ୍ଵତନ୍ତ୍ର ଦାୟିତ୍ୱ ନ୍ୟସ୍ତ କରାଗଲେ ଏହି ବର୍ଗର ଅନ୍ତର୍ଭୁକ୍ତ ଛାତ୍ରଛାତ୍ରୀ ଯୁବକ ଯୁବତୀ ବିଶେଷ ଉପକୃତ ହୋଇପାରନ୍ତେ ।
ଓଡ଼ିଶାର ପ୍ରାୟ ଅଧିକାଂଶ ସରକାରୀ ଚାକିରୀର ବିଜ୍ଞାପନରେ ଏସଇବିସି ବା ଅନ୍ୟାନ୍ୟ ପଛୁଆବର୍ଗଙ୍କ ପିଲାଙ୍କ ପାଇଁ କୌଣସି ପ୍ରକାର ସ୍ଥାନ ସଂଗରକ୍ଷଣ ରହୁ ନାହିଁ ଫଳରେ ବର୍ଷ ବର୍ଷ ଧରି ଚାକିରି ପାଇଁ ପ୍ରସ୍ତୁତ ହେଉଥିବା ଏସଇବିସି ବର୍ଗର ପିଲାମାନେ ଆତ୍ମହତ୍ୟା ପରୀ ଚରମ ନିଷ୍ପତି ନେବାକୁ ବାଧ୍ୟ ହେଉଛନ୍ତି । ଏଣୁ ଏସଇବିସି ବର୍ଗର ସଂରକ୍ଷଣ ପାଇଁ ତ୍ୱରିତ ପଦକ୍ଷେପ ନେବା ପାଇଁ ଆଜି ବିଜେପି ଓବିସି ମୋର୍ଚ୍ଚା କେନ୍ଦୁଝର ଜିଲ୍ଲା ପକ୍ଷରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କୁ ଦାବି ପତ୍ର ପ୍ରଦାନ କରିଛନ୍ତି । ଜିଲ୍ଲା ଓବିସି ମୋର୍ଚ୍ଚା ସଭାପତି ଲକ୍ଷ୍ମଣ କୁମାର ରାଉତ ରାଜ୍ୟ ଓବିସି ମୋର୍ଚ୍ଚା ସମ୍ପାଦକ ତଥା କେନ୍ଦୁଝର ଜିଲ୍ଲା ଓବିସି ମୋର୍ଚ୍ଚା ପ୍ରଭାରୀ ଯୋଗେନ୍ଦ୍ର ନାଥ ମହାନ୍ତ, ରାଜ୍ୟ ଓବିସି ମୋର୍ଚ୍ଚା ସଂଯୋଜକ ଚନ୍ଦ୍ରଗୁପ୍ତ ପ୍ରସାଦ ଚର୍ଚ୍ଚିଲ ମହାକୁଡ ସାଧାରଣ ସମ୍ପାଦକ ଧନୁର୍ଜୟ ମହାନ୍ତ ସାଧାରଣ ସମ୍ପାଦକ କାହ୍ନୁଚରଣ ମହାନ୍ତ ଉପସ୍ଥିତ ଥିଲେ।