ସଂଚାର ବ୍ୟୁରୋ: ଚାଷୀଙ୍କ ପାଇଁ ଖୁସି ଖବର। ଆଜିଠୁ ଉଠିବ ଧାନ। ଆଜି ନୂଆପଡା ଜିଲ୍ଲାରେ ଖୋଲିବ ଧାନ ମଣ୍ଡି, ଆଜି ଠାରୁ ନୂଆପଡା ଜିଲ୍ଲାରେ ଆରମ୍ଭ ହେବ ଧାନ କିଣା। ଖରିଆର ରୋଡ଼ ସ୍ଥିତ RMC ପରିସରରେ ଖୋଲିବ ମଣ୍ଡି। ନୂଆପଡା ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସ୍ତରୀୟ ଧାନ କ୍ରୟ କମିଟିରେ ସ୍ଥିର ହୋଇଥିଲା ଧାନ ସଂଗ୍ରହର ତାରିଖ। ନୂଆପଡା ଜିଲ୍ଲାପାଳଙ୍କ ସମେତ ଚାଷୀ ଏବଂ ଅଧିକାରୀମାନେ ଯୋଗ ଦେବାର ରହିଛି କାର୍ଯ୍ୟକ୍ରମ। ଚଳିତ ଖରିଫ ଋତୁରେ ନୂଆପଡା ଜିଲ୍ଲାରେ 31 ଗୋଟି ମିଲର୍ସ ମାଧ୍ୟମରେ ଧାନ କିଣିବାର ଲକ୍ଷ ରଖିଛି ଜିଲ୍ଲା ପ୍ରଶାସନ।
ସେହିପରି ଚଳିତ ଖରିଫ ଋତୁରେ 51341 ଜଣ ଚାଷୀ ପଞ୍ଜିକୃତ କରିଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ତେର ଲକ୍ଷ ଚଉସ୍ତରି ହଜାର କ୍ୱିଣ୍ଟାଲ ଟାର୍ଗେଟ ଆସିଛି। ଜିଲ୍ଲାର 51 ଗୋଟି ପ୍ୟାକ୍ସ ର 79 ଗୋଟି ମଣ୍ଡି ଏବଂ 10 ଗୋଟି ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା କରାଯିବ ଧାନ ସଂଗ୍ରହ। ସେହିପରି ଜିଲ୍ଲାର ସିମାବର୍ତ୍ତୀ ଅଂଚଳରେ ବେଆଇନ ଧାନ ଚାଲାଣକୁ ରୋକିବାକୁ ଗଠନ କରାଯାଇଛି ସ୍ୱତନ୍ତ୍ର ସ୍ୱାର୍ଡ। ଅନ୍ୟପଟେ ମନ୍ତ୍ରୀଙ୍କ ସହ ଆଲୋଚନା ପରେ ବାହାରିଲା ସମାଧାନର ବାଟ । ରାଜ୍ୟରେ ଲାଗି ରହିଥିବା ମଣ୍ଡି ସମସ୍ୟାର ସମାଧାନ ପାଇଁ ଯୋଗାଣ ମନ୍ତ୍ରୀ ଓ ୩୦ ଜିଲ୍ଲାର ମିଲରଙ୍କ ମଧ୍ୟରେ ବୈଠକ ଶେଷ ହୋଇଛି । ମିଲରଙ୍କର ଯେଉଁ ମୌଳିକ ସମସ୍ୟା ଥିଲା ତାକୁ ପୂରଣ ପାଇଁ ମନ୍ତ୍ରୀ ପ୍ରତିଶୃତି ଦେଇଥିଲେ ।

