ସାରଦା କୁକ୍ରେଜାଙ୍କୁ ଭାରତ ଛାଡିବାକୁ ନିର୍ଦ୍ଦେଶ। ପାକିସ୍ତାନୀ ନାଗରିକ ସାରଦା ଭାରତ ଛାଡିବାକୁ ନୋଟିସ ମିଳିଛି। ବଲାଙ୍ଗୀର ଜିଲ୍ଲା ପୋଲିସ ମୁଖ୍ୟାଳୟ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଥିବା ବଲାଙ୍ଗୀର ପୋଲିସର ପକ୍ଷରୁ ସୂଚନା ମିଳିଛି। ପାସପୋର୍ଟ ଅବଧି ସହ ଭିସା ରଦ୍ଦ ହୋଇଥିବାରୁ ଭାରତ ଛାଡିବାକୁ ନିର୍ଦ୍ଦେଶ ଦିଆଯାଇଛି। ପାକିସ୍ତାନ ପଳାଇବାକୁ ନିର୍ଦ୍ଦେଶ ନମାନିଲେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ପାଇଁ ଚେତାବନୀ ଦିଆଯାଇଛି। ଅନ୍ୟପଟେ ନୋଟିସ ପାଇନଥିବା କହିଛନ୍ତି ସାରଦା। ସାରଦା ଠିକାଦାରପଡାରେ ପରିବାର ସହ ଦୀର୍ଘବର୍ଷ ହେଲା ରହୁଛନ୍ତି । ବଡ଼କଥା ହେଲା ସେ ୧୯୭୧ ମସିହାରୁ ବଲାଙ୍ଗୀରରେ ରହି ଆସୁଥିବା ବେଳେ ସେ ଏବେ ବି ପାକିସ୍ତାନୀ ନାଗରିକତ୍ବରେ ରହି ଆସୁଛନ୍ତି । ୧୯୯୧ରୁ ତାଙ୍କର ପାସପୋର୍ଟ ଅବଧି ସରିଯାଇଛି I ୧୯୭୧ରେ ସାରଦା ପାକିସ୍ତାନ ଛାଡି ପରିବାର ସହ ଦିଲ୍ଲୀ ଆସିଥିଲେ I ସେଠାରୁ କୋରାପୁଟ ଆସି ମହେଶ୍ କୁକ୍ରେଜାଙ୍କୁ ବିବାହ କରିଥିଲେ I ପରେ ସେମାନେ ବ୍ୟବସାୟ ପାଇଁ ବଲାଙ୍ଗୀର ଚାଲି ଆସିଥିଲେ I ବଲାଙ୍ଗୀରରେ ବ୍ୟବସାୟ କରି ରହୁଛନ୍ତି I ସାରଦା ଏପର୍ଯ୍ୟନ୍ତ ଭାରତୀୟ ନାଗରିକତ୍ଵ ଗ୍ରହଣ କରି ନାହାଁନ୍ତି । ପହଲଗାଓଁ ଆକ୍ରମଣ ପରେ ସବୁ ପାକିସ୍ତାନୀଙ୍କୁ ଭାରତ ଛାଡି ଚାଲିଯିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି । କାଲି ସରୁଛି ସାଧାରଣ ଭିସା ଅବଧି ।