ସଂଚାର ବ୍ୟୁରୋ: ବାଲେଶ୍ୱର ଓ ବଳଙ୍ଗା ଅଘଟଣ ପରେ, ଆକ୍ସନ ମୋଡ଼ରେ ସରକାର । ଏଣିକି ପ୍ଲାଷ୍ଟିକ ବୋତଲରେ ପେଟ୍ରୋଲ ମନା । ଆଜିଠୁ ଆଉ ପ୍ଲାଷ୍ଟିକ ବୋତଲରେ ମିଳିବନି ପେଟ୍ରୋଲ । କାଚ ବୋତଲରେ ମିଳିବ ପେଟ୍ରୋଲ । ପେଟ୍ରୋଲିୟମ ନିୟମ ଅନୁଯାୟୀ ପ୍ଲାଷ୍ଟିକ ବୋତଲରେ ପେଟ୍ରୋଲ ବିକ୍ରି ହେବ ନାହିଁ । ସମସ୍ତ ଜିଲ୍ଲାପାଳଙ୍କୁ ଶକ୍ତ ନିର୍ଦ୍ଦେଶ ଦେଇଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ଯେଉଁମାନେ ନୀତି ବିରୁଦ୍ଧରେ ଯିବେ, କାର୍ଯ୍ୟାନୁଷ୍ଠାନ ନିଆଯିବ । ରାସ୍ତା ଘାଟରେ ପ୍ଲାଷ୍ଟିକରେ ପେଟ୍ରୋଲ ବିକିଲେ ଆକ୍ସନ ନିଆଯିବ । ବାହାରେ ବିକ୍ରି ରୋକିବା ପାଇଁ ଚଢ଼ାଉ ହେବ । ପେଟ୍ରୋଲ ପମ୍ପ ସଙ୍ଘ ଓ ଯୋଗାଣ ମନ୍ତ୍ରୀଙ୍କ ବୈଠକ ପରେ ନିଷ୍ପତ୍ତି ନିଆଯାଇଛି । ଅଧିକାରୀଙ୍କ ନିର୍ଦ୍ଦେଶ ବାହାରେ ବିନା ଲାଇସେନ୍ସରେ ପେଟ୍ରୋଲ ବିକ୍ରି କଲେ ବ୍ୟବସାୟୀଙ୍କ ଲାଇସେନ୍ସ ବାତିଲ କରାଯିବ ।
ସୂଚନାଯୋଗ୍ୟ, ଗତ ୧୨ ତାରିଖରେ ବାଲେଶ୍ଵର ଫକୀର ମୋହନ କଲେଜ ଛାତ୍ରୀ ନିଜ ଦେହରେ ପେଟ୍ରୋଲ ଢାଳି ଜୀବନ ହାରିବା ଉଦ୍ୟମ କରିଥିଲେ। ଚିକିତ୍ସାଧୀନ ଅବସ୍ଥାରେ ଭୁବନେଶ୍ଵର ଏମ୍ସରେ ତାଙ୍କର ମୃତ୍ୟୁ ଘଟିଥିଲା । ଏହାକୁ ନେଇ ସାରା ରାଜ୍ୟରେ ଚହଳ ପଡିଥିଲା । ରାଜନୀତି ଚରମରେ ପହଞ୍ଚିଥିଲା । କିଏ ପେଟ୍ରୋଲ ନେଇ ପୀଡ଼ିତାଙ୍କୁ ଦେଲା । ପେଟ୍ରୋଲ ପମ୍ପରୁ କିଏ ଖୋଲାରେ ପେଟ୍ରୋଲ ଦେଲା ତାକୁ ନେଇ ଅନେକ ପ୍ରଶ୍ନ ଲାଗି ରହିଛି । ସ୍ଥିତିକୁ ଦେଖି ଏବେ ରାଜ୍ୟ ସରକାରଙ୍କ ସହ ପେଟ୍ରୋଲ ପମ୍ପ ସଂଘ ଉପରୋକ୍ତ ନିଷ୍ପତ୍ତି ନେଇଛନ୍ତି ।