ଭୁବନେଶ୍ବର : ଡିସେମ୍ବର ୨୫ରେ ମିଳିବନି ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ‘ସୁଭଦ୍ରା’ ଟଙ୍କା । ବର୍ତ୍ତମାନ ଯାଞ୍ଚ ପ୍ରକ୍ରିୟା ଚାଲିଥିବାରୁ ୪ର୍ଥ ପର୍ଯ୍ୟାୟକୁ ସ୍ଥଗିତ ରଖାଯାଇଛି। ଏନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି।
ଡିସେମ୍ବର ୨୫ରେ ‘ସୁଭଦ୍ରା’ ଯୋଜନାର ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା ମିଳିବାର ଥିଲା। କିନ୍ତୁ ଏହା ପୂର୍ବରୁ କିଛି ହିତାଧିକାରୀଙ୍କର E-KYC ହୋଇନଥିଲା। ଏଥି ସହିତ କିଛି ହିତାଧିକାରୀଙ୍କର ମଧ୍ୟ ଫିଲ୍ଡ ଭେରିଫିକେସନ୍ ହେବାର ଥିଲା। ବର୍ତ୍ତମାନ ଗାଁରେ ଫିଲ୍ଡ ଭେରିଫିକେସନ୍ ଚାଲିଛି। ଯାଞ୍ଚ ପ୍ରକ୍ରିୟା ଚାଲିଥିବାରୁ ଚତୁର୍ଥ ପର୍ଯ୍ୟାୟକୁ ସ୍ଥଗିତ ରଖାଯାଇଛି। ଡିସେମ୍ବର ୩୦ ତାରିଖ ସୁଦ୍ଧା ସବୁ ପ୍ରକାର ଯାଞ୍ଚ ସରିବା ଆଶା ରହିଛି। ସବୁ ପ୍ରକାର ଯାଞ୍ଚ ସରିଲେ, ଚତୁର୍ଥ ପର୍ଯ୍ୟାୟ ପ୍ରଦାନ କରାଯିବ ବୋଲି ଉପମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି।
ଏଥି ସହିତ ଉପମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯଦି କେଉଁ ହିତାଧିକାରୀ ସୁଭଦ୍ରା ଯୋଜନାରୁ ବଞ୍ଚିତ ଅଛନ୍ତି, ତେବେ ସୁଭଦ୍ରା ପୋର୍ଟାଲରେ ଅଭିଯୋଗ କରନ୍ତୁ। ଯଦି ବାୟୋମେଟ୍ରିକରେ E-KYC ଶେଷ ଦେଖାଉଛି, ଅଚିନ୍ତା ରୁହନ୍ତୁ। OTP ଜରିଆରେ E-KYC କରିଥିଲେ ବି ବାୟୋମେଟ୍ରିକ କରନ୍ତୁ। ଗାଁରେ ଏବେ ଫିଲ୍ଡ ଭେରିଫିକେସନ୍ ଚାଲିଛି, ସମସ୍ତେ ସହଯୋଗ କରନ୍ତୁ। କିଛି ଅଭିଯୋଗଥିଲେ ବ୍ଲକ ଅଫିସ, ସରପଞ୍ଚ ଓ ଅଙ୍ଗନବାଡି କର୍ମୀଙ୍କୁ ଅଭିଯୋଗ ଜଣାନ୍ତୁ।
ଅନ୍ୟପଟେ ଉପମୁଖ୍ୟମନ୍ତ୍ରୀ କହିଛନ୍ତି ୫ ଲକ୍ଷରୁ ଅଧିକ ଆବେଦନ ବର୍ତ୍ତମାନ ସୁଦ୍ଧା ପେଣ୍ଡିଂ ପଡ଼ିଛି। ୫ ଏକର ଜମି ନେଇ ଏବେ ଫିଲ୍ଡ ସର୍ଭେ ଚାଲିଛି। ଯଦି କୌଣସି ହିତାଧିକାରୀ ମଣ୍ଡିରେ ୫ ଏକର ଜମି ଥିବା ଦର୍ଶାଇଥିବେ ତେବେ ତାଙ୍କର ସୁଭଦ୍ରା ରିଜେକ୍ଟ ଲିଷ୍ଟରେ ନାଁ ଆସିବ। ଯଦି ଏହା ଭୁଲବଶତଃ ଉଲ୍ଲେଖ କରିଥିବେ ତେବେ ପୋର୍ଟାଲ ଜରିଆରେ ଅଭିଯୋଗ କରନ୍ତୁ। ୩୧ ହଜାର ହିତାଧିକାରୀ ସୁଭଦ୍ରା ଯୋଜନାରେ ଅପ୍ଟ ଆଉଟ ହୋଇଛନ୍ତି। ଅପ୍ଟ ଆଉଟ ହିତାଧିକାରୀଙ୍କ ପାଇଁ ବିଚାର କରାଯାଉଛି। ଯଦି କୌଣସି ହିତାଧିକାରୀ ନିଜକୁ ଯୋଗ୍ୟ ଭାବୁଛନ୍ତି, ତେବେ ବ୍ଲକରେ ଯାଇ ଜଣାନ୍ତୁ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି