ସଂଚାର ବ୍ୟୁରୋ: ଭାରତୀୟ କ୍ରିକେଟର ‘କିଙ୍ଗ୍’ କୁହାଯାଉଥିବା ବିରାଟ କୋହଲି ପୁଣିଥରେ ଚର୍ଚ୍ଚାରେ ଅଛନ୍ତି । କିନ୍ତୁ ଏଥର ସେ ନିଜ ବ୍ୟାଟିଂ ପାଇଁ ନୁହେଁ, ବରଂ ମଇଦାନ ବାହାରେ ଏକ ନୂଆ ରେକର୍ଡ ସୃଷ୍ଟି କରି ଚର୍ଚ୍ଚାକୁ ଆସିଛନ୍ତି । କ୍ରିକେଟ୍ ମଇଦାନରୁ ଦୂରରେ ଥିଲେ ମଧ୍ୟ ସେ ଏପରି ଏକ ଉପଲବ୍ଧି ହାସଲ କରିଛନ୍ତି, ଯାହା ଆଜି ପର୍ଯ୍ୟନ୍ତ କୌଣସି ଭାରତୀୟ କ୍ରିକେଟର୍ ରିପାରି ନାହାନ୍ତି ।
ବିରାଟ କୋହଲି ସୋସିଆଲ ମିଡିଆରେ ବିଶ୍ୱସ୍ତରରେ ବିଶାଳ ରେକର୍ଡ ସୃଷ୍ଟି କରିଛନ୍ତି । ସେ ବିଶ୍ୱର ପ୍ରଥମ କ୍ରିକେଟର୍ ଭାବରେ ତିନୋଟି ପ୍ରମୁଖ ସୋସିଆଲ ମିଡିଆ ପ୍ଲାଟଫର୍ମ – ଫେସବୁକ୍, ଇନଷ୍ଟାଗ୍ରାମ ଏବଂ ଏକ୍ସ – ରେ ୫୦ ମିଲିୟନରୁ ଅଧିକ ଫଲୋଅର୍ସ ହାସଲ କରିଛନ୍ତି । ଏହି ସଫଳତା ତାଙ୍କର ବିଶ୍ୱସ୍ତରୀୟ ଲୋକପ୍ରିୟତାକୁ ପ୍ରମାଣିତ କରୁଛି ।
ତାଙ୍କର ଇନଷ୍ଟାଗ୍ରାମରେ ୨୬୯ ମିଲିୟନରୁ ଅଧିକ ଫଲୋଅର୍ସ ଥିବାବେଳେ, ଫେସବୁକରେ ୫୧ ମିଲିୟନରୁ ଅଧିକ ଫଲୋଅର୍ସ ଅଛନ୍ତି । ନିକଟରେ ସେ ‘ଏକ୍ସ’ରେ ମଧ୍ୟ ୫୦ ମିଲିୟନ ଫଲୋଅର୍ସର ମାଇଲ୍ଖୁଣ୍ଟ ଅତିକ୍ରମ କରିଛନ୍ତି । ଏହା ତାଙ୍କୁ କ୍ରୀଡ଼ା ଜଗତର ସବୁଠାରୁ ଲୋକପ୍ରିୟ ବ୍ୟକ୍ତିତ୍ୱଙ୍କ ମଧ୍ୟରେ ସ୍ଥାନିତ କରିଛି ।
ବିଶେଷ କଥା ହେଉଛି, ବିରାଟ ବର୍ତ୍ତମାନ କ୍ରିକେଟରୁ ବିରତି ନେଇଛନ୍ତି । ନିଜର ବ୍ୟକ୍ତିଗତ କାରଣରୁ ସେ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜରୁ ଦୂରେଇ ରହିଥିଲେ । ଏହି ସମୟରେ ମଇଦାନରେ ଅନୁପସ୍ଥିତ ଥାଇ ମଧ୍ୟ ସୋସିଆଲ ମିଡିଆରେ ତାଙ୍କର ଲୋକପ୍ରିୟତା କମିନାହିଁ ବରଂ ବଢ଼ିଚାଲିଛି । ଏହି ରେକର୍ଡ ଦର୍ଶାଉଛି ଯେ କୋହଲି କେବଳ ଜଣେ କ୍ରିକେଟର୍ ନୁହଁନ୍ତି, ବରଂ ଏକ ବିଶ୍ୱସ୍ତରୀୟ ବ୍ରାଣ୍ଡ୍ । ତାଙ୍କର ଏହି ସଫଳତା କ୍ରିକେଟ୍ ପ୍ରଶଂସକଙ୍କ ପାଇଁ ଏକ ଖୁସିର ଖବର ।