ଆମେରିକାରେ ଚାଲିଥିବା ମେଜର ଲିଗ୍ କ୍ରିକେଟ (ଏମ୍ଏଲ୍ସି) ଟୁର୍ଣ୍ଣାମେଣ୍ଟରେ ୱେଷ୍ଟଇଣ୍ଡିଜର ପ୍ରସିଦ୍ଧ ଅଲରାଉଣ୍ଡର କିରଣ ପୋଲାର୍ଡ ଏକ ବିରଳ ରେକର୍ଡ଼ କରିଛନ୍ତି । ସେ ବିଶ୍ୱର ପ୍ରଥମ ଖେଳାଳି ଭାବେ ୭୦୦ ଟି-ଟ୍ୱେଣ୍ଟି ଖେଳିଛନ୍ତି । ଏମ୍ଆଇ ନ୍ୟୁୟର୍କ ପକ୍ଷରୁ ଖେଳୁଥିବା ପୋଲାର୍ଡ ମଙ୍ଗଳବାର ସାନ୍ ଫ୍ରାନ୍ସିସ୍କୋ ୟୁନିକର୍ଣ୍ଣସ ବିପକ୍ଷ ମ୍ୟାଚ୍ରେ ଏହି ଉପଲବ୍ଧି ହାସଲ କରିଛନ୍ତି । ଉକ୍ତ ମ୍ୟାଚ୍ରେ ସେ ୨ଟି ୱିକେଟ୍ ନେବା ସହ ଅପରାଜିତ ୩୪ରନ୍ କରିଥିଲେ । ମାତ୍ର ଏମ୍ଆଇ ନ୍ୟୁୟର୍କ ୪୭ରନ୍ରେ ଏହି ମ୍ୟାଚ୍ ପରାଜିତ କରିଥିଲା ।
ପୋଲାର୍ଡ ଟି-ଟ୍ୱେଣ୍ଟି ଫର୍ମାଟ କ୍ରିକେଟରେ ୭୦୦ ମ୍ୟାଚ୍ ଖେଳି ୧୩୬୬୮ ରନ୍ ସଂଗ୍ରହ କରିସାରିଲେଣି । ସେ ଗୋଟିଏ ଶତକ ଏବଂ ୬୭ଟି ଅର୍ଦ୍ଧଶତକୀୟ ପାଳି ଖେଳିଛନ୍ତି । ବୋଲିଂରେ ସେ ୩୨୮ଟି ୱିକେଟ୍ ଅକ୍ତିଆର କରିଛନ୍ତି । ଅନ୍ୟ ୱେଷ୍ଟଇଣ୍ଡିଜ ଅଲରାଉଣ୍ଡର ଡ୍ୱେନ ବ୍ରାଭୋ ଦ୍ୱିତୀୟ ସର୍ବାଧିକ ୫୮୨ଟି ମ୍ୟାଚ୍ ଖେଳିଥିବାବେଳେ ପାକିସ୍ତାନର ସୋଏବ ମଲିକ ୫୫୭ଟି ମ୍ୟାଚ୍ ସହ ତୃତୀୟ, ୱେଷ୍ଟଇଣ୍ଡିଜର ଆନ୍ଦ୍ରେ ରସେଲ ୫୫୬ଟି ମ୍ୟାଚ୍ ସହ ଚତୁର୍ଥ, ସୁନୀଲ ନାରାଏନ ୫୫୧ଟି ମ୍ୟାଚ୍ ସହ ପଞ୍ଚମ, ଦକ୍ଷିଣ ଆଫ୍ରିକାର ଡେଭିଡ୍ ମିଲର ୫୩୦ଟି ମ୍ୟାଚ୍ ସହ ଷଷ୍ଠ, ଇଂଲଣ୍ଡର ଆଲେକ୍ସ ହେଲ୍ସ ୫୦୦ ମ୍ୟାଚ୍ ସହ ସପ୍ତମ ସ୍ଥାନରେ ରହିଛନ୍ତି । ଭାରତ ପକ୍ଷରୁ ରୋହିତ ଶର୍ମା ସର୍ବାଧିକ ୪୬୩ଟି ଟି-ଟ୍ୱେଣ୍ଟି ଖେଳିଛନ୍ତି ।