ସଂଚାର ବ୍ୟୁରୋ: କୃଷି କ୍ଷେତ୍ରକୁ ବୁଷ୍ଟ ଯୋଗାଇ ଦେବା ପାଇଁ ଆଜି କେନ୍ଦ୍ର କ୍ୟାବିନେଟ ୭ ବଡ଼ ନିଷ୍ପତ୍ତି ନେଇଛି। କୃଷି ଓ ଚାଷୀଙ୍କ କଲ୍ୟାଣ ପାଇଁ ଆରମ୍ଭ ହେବ ୧୪ ହଜାର କୋଟି ଟଙ୍କାର କାର୍ଯ୍ୟକ୍ରମ। ଆଜି ଉକ୍ତ କାର୍ଯ୍ୟକ୍ରମକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା କେନ୍ଦ୍ର କ୍ୟାବିନେଟ ମୋହର ମାରିଛି। ଡିଜିଟାଲ କୃଷି, ଖାଦ୍ୟ ସୁରକ୍ଷା, ଶିକ୍ଷା ଓ ନିୟମିତ ଫାର୍ମିଂ ଭଳି କୃଷି ସହ ଜଡ଼ିତ କାର୍ଯ୍ୟକ୍ରମକୁ କ୍ୟାବିନେଟ ଅନୁମତି ମିଳିଛି। ଡିଜିଟାଲ କୃଷି ମିଶନ ପାଇଁ ୨,୯୧୭ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ଏହି ମିଶନ ଜରିଆରେ କୃଷି କ୍ଷେତ୍ରକୁ ଅତ୍ୟାଧୁନିକ କରାଯିବ। ଟେକ୍ନୋଲୋଜିର ବ୍ୟବହାର କରି ଚାଷ ଜମିର କାର୍ଯ୍ୟଦକ୍ଷତା ଓ ଉତ୍ପାଦନ ବୃଦ୍ଧି କରିବା ପାଇଁ ପ୍ରୟାସ କରାଯିବ।